ସ୍କୁଲ ଯିବା ବେଳେ ହେଉଥିଲା ଟ୍ରାଫିକ ସମସ୍ୟା, ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଲେ ୬ ବର୍ଷର କୁନି ଛାତ୍ର । ସାହସ ଦେଖି ତାଜୁବ ହୋଇଗଲେ ଥାନା ଅଧିକାରୀ ।

555

କନକ ବ୍ୟୁରୋ : ଥାନାରେ ପହଞ୍ଚିଲେ ସ୍କୁଲ ପିଲା । ୟୁକେଜିରେ ପଢୁଥିବା ଜଣେ କୁନି ପିଲା ଥାନାରେ ପହଞ୍ଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କଣ ପାଇଁ ଏହି କୁନି ପିଲା ଥାନାକୁ ଆସିଲେ ତାହାର କାରଣ ଜାଣିବାକୁ ସମସ୍ତେ ବ୍ୟଗ୍ର ଥିଲେ । ତେବେ ଶିଶୁଟି ଅଭିଯୋଗ ନେଇ ଥାନାକୁ ଆସିଥିବା ଜଣାପଡିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ଉକ୍ତ ଶିଶୁଙ୍କ ଅଭିଯୋଗ ପୋଲିସ ଶୁଣୁଥିବାର ଦେଖିବାକୁ ମିଳିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ପାଲମାନେର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ଜଣେ ୬ ବର୍ଷର କୁନି ପିଲା କାର୍ତ୍ତିକ ଯିଏ ଆଦର୍ଶ ସ୍କୁଲରେ ୟୁକେଜିରେ ପାଠ ପଢୁଛନ୍ତି ହଠାତ୍ ପାଲମାନେର ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀ ଏନ୍ ଭାସ୍କରଙ୍କୁ ଭେଟିବା ସହ ଅଭିଯୋଗ ଶୁଣାଇଥିଲେ । କୁନି ଶିଶୁ କାର୍ତ୍ତିକ କହିଥିଲେ ଯେ, ଟ୍ରାକ୍ଟର ଚଳାଚଳ କାରଣରୁ ସ୍କୁଲ ନିକଟସ୍ଥ ରାସ୍ତା ଜାମ ହେଉଛି । ଏପରିକି ରାସ୍ତାକୁ ଖୋଳି ଦିଆଯାଇଛି । ଯାହାଫଳରେ ଯିବା ଆସିବାରେ ଅସୁବିଧା ହେଉଛି । ତେଣୁ ଉକ୍ତ ସ୍ଥାନକୁ ଯିବା ସହ ଏହାର ସମାଧାନ କରିବାକୁ ଥାନା ଅଧିକାରୀଙ୍କୁ ନିବେଦନ କରିଥିଲେ କୁନି ଶିଶୁ କାର୍ତ୍ତିକ ।

ଜଣେ କୁନି ଶିଶୁ ଥାନାକୁ ଆସି ଅଭିଯୋଗ କରୁଥିବା ଦେଖି ଥାନା ଅଧିକାରୀ ଏନ୍ ଭାସ୍କର ମଧ୍ୟ ବେଶ ପ୍ରଭାବିତ ହୋଇଥିଲେ । କୁନି ଶିଶୁଙ୍କୁ ପାଖରେ ବସାଇ ମିଠା ଖୁଆଇବା ସହ ସମସ୍ତ ସମସ୍ୟା ବାବଦରେ ଅବଗତ ହୋଇଥିଲେ । ଏପରିକି କାର୍ତ୍ତିକଙ୍କୁ ଆଶ୍ୱସନା ଦେଇଥିଲେ ଯେ, ତାଙ୍କର ଅଭିଯୋଗ ଗ୍ରହଣ କରାଯିବ ଏବଂ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ । ଏପରିକି ନିଜର ମୋବାଇଲ ନମ୍ବର ମଧ୍ୟ କାର୍ତ୍ତିକଙ୍କୁ ଦେଇଥିଲେ ଏନ୍ ଭାସ୍କର । ସ୍କୁଲ ଯିବା ସମୟରେ ଯଦି କୌଣସି ଅସୁବିଧା ହୁଏ ତେବେ ମୋବାଇଲ ନମ୍ବରରେ କଲ କରିବାକୁ କାର୍ତ୍ତିକଙ୍କୁ କହିଥିଲେ ଭାସ୍କର ।

ଅନ୍ୟପଟେ ଭାସ୍କର କହିଛନ୍ତି, ସ୍କୁଲ ନିକଟରେ କିଛି କାର୍ଯ୍ୟ ଚାଲୁଥିବା କାରଣରୁ ରାସ୍ତା ଜାମ ହେଉଥିଲା । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖାଦେଉଥିଲା । କିନ୍ତୁ ଏହାକୁ ଏଡାଇବାକୁ ପୋଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଯେହେତୁ ଏହା ବ୍ୟସ୍ତବହୁଳ ରୁଟ୍, ତେଣୁ କୌଣସି କାର୍ଯ୍ୟ ହେଲେ ଟ୍ରାଫିକ ସମସ୍ୟା ଉପୁଜିବା ସ୍ୱାଭାବିକ । କିନ୍ତୁ ଏ ବାବଦରେ କେହି କେବେ ଅଭିଯୋଗ କରିନଥିବା ବେଳେ ଜଣେ ୬ ବର୍ଷର କୁନି ଶିଶୁ ନିଜ ବାପାଙ୍କ ସହ ଆସି ଅଭିଯୋଗ କରିବା ଆମକୁ ବେଶ ପ୍ରଭାବିତ କରିଛି । ଏପରିକି କାର୍ତ୍ତିକଙ୍କ ସମସ୍ୟାର ଯେପରି ଖୁବଶୀଘ୍ର ସମାଧାନ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବୁ ବୋଲି କହିଛନ୍ତି ଥାନା ଅଧିକାରୀ ଏନ୍ ଭାସ୍କର ।