ମାନସ ସ୍ୱାଇଁଙ୍କ ଅପହରଣ ବେଳେ ଶର୍ମିଷ୍ଠା ଛଡ଼ାଇ ନେଇଥିଲେ ସହଯୋଗୀଙ୍କ ମୋବାଇଲ୍ । ମାନସଙ୍କୁ ଯୋଗାଯୋଗ ନକରିବାକୁ ଲେଖାଇଥିଲେ ଅଣ୍ଡରଟେକିଂ

144

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଏବେ ବି ପୁଲିସକୁ ଚକମା ଦେଇ ଫେରାର ରହିଛନ୍ତି । ତାଙ୍କୁ ଧରିବା ପାଇଁ ଏକାଧିକ ଟିମ୍ କରି ପୁଲିସ ଖୋଜୁଥିଲେ ବି ସେ କେଉଁଠି ଅଛନ୍ତି, ତାର ଟେର ପାଉନି ପୁଲିସ । ଅନ୍ୟପଟେ ସାମନାକୁ ଆସୁଛି ମାନସଙ୍କୁ ଅପହରଣ ବେଳେ ସେଦିନ କେମିତି ତାଙ୍କ ସହଯୋଗୀଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ ଶର୍ମିଷ୍ଠା । ଆଉ ଭୁବନେଶ୍ୱର ଆସି ମୋବାଇଲ ନେବାକୁ କହିଥିଲୋ ।

ସେହିଦିନ ସନ୍ଧ୍ୟାରେ ମାନସଙ୍କ ସହଯୋଗୀ ଶର୍ମିଷ୍ଠାଙ୍କ ଅଫିସକୁ ଆସି ମୋବାଇଲ ନେଇଥିଲେ । କିନ୍ତୁ ଏକ ଅଣ୍ଡରଟେକିଂ ଲେଖିଥିଲେ । ଏଥିରେ ଲେଖିଥିଲେ, ସେ ଆଉ ମାନସଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିବେ ନାହିଁ । ତେବେ ଏହି ଅଣ୍ଡରଟେକିଂ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଅନୁମାନ କରାଯାଉଛି, ଅଣ୍ଡରଟେକିଂ ଲେଖିବାବେଳକୁ ମାନସଙ୍କୁ ହତ୍ୟା କରି ସାରିଥିଲେ ଦୁବୃର୍ତ୍ତ ।

ଫେବ୍ରୁଆରୀ ୭ ତାରିଖ ପଳାସପୁର ଛକରେ ଯେତେବେଳେ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ଅପହରଣ କରାଗଲା, ଶର୍ମିଷ୍ଠାଙ୍କ ଗାଡ଼ିରେ ବସିଥିବା ଆଉ ଜଣେ ଯୁବକ ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନଙ୍କ ଠାରୁ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ଆଉ କହିଥିଲେ ଅଫିସ ଆସିଲେ ମୋବାଇଲ ମିଳିବ । ତା’ ପରେ ମାନସଙ୍କୁ କାରରେ ବସାଇ ଅପହରଣ କରିନେଇଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନେ ।

ପ୍ରାୟ ୧୨ ଘଣ୍ଟା ପରେ ମୋବାଇଲ ନେବା ପାଇଁ ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମ ଦୟାଲ ଆଶ୍ରମରେ ପହଞ୍ଚିଥିଲେ ମାନସଙ୍କ ସେହି ସହଯୋଗୀ କ୍ୟାମେରାମ୍ୟାନ । ସେଠାରେ ତାଙ୍କୁ ଏକ ଅଣ୍ଡରଟେକିଂ ଦେବାପାଇଁ କହିଥିଲେ ଶର୍ମିଷ୍ଠା । ସହଯୋଗୀ କ୍ୟାମେରାମ୍ୟାନ ଶର୍ମିଷ୍ଠାଙ୍କ କହିବା ଅନୁସାରେ, ଅଣ୍ଡରଟେକିଂରେ ଲେଖିଥିଲେ ସେ ମାନସଙ୍କୁ କଂଟାକ୍ଟ କରିବା ପାଇଁ ଚେଷ୍ଟା କରିବେ ନାହିଁ । ତେବେ ଫେବ୍ରୁଆରୀ ୭ ତାରିଖ ସକାଳ ୬ଟାରେ ମାନସଙ୍କୁ ଅପହରଣ କରାଯାଇଥିଲା । ୧୨ ଘଣ୍ଟା ପରେ ପ୍ରାୟ ସଂଧ୍ୟା ୬ଟାରେ ଶର୍ମିଷ୍ଠା ତାଙ୍କ ସହଯୋଗୀ କ୍ୟାମେରାମ୍ୟାନଙ୍କୁ ମୋବାଇଲ ଫେରାଇଥିଲେ ଏବଂ ଅଣ୍ଡରଟେକିଂ ଲେଖାଇଥିଲେ, ଯେ ସେ ମାନସଙ୍କୁ କଂଟାକ୍ଟ କରିବା ପାଇଁ ଚେଷ୍ଟା କରିବେ ନାହିଁ । ଅନୁମାନ କରାଯାଉଛି ଯେ, ଏଇ ୧୨ ଘଣ୍ଟା ଭିତରେ ସେମାନେ ମାନସଙ୍କୁ ମାରିସାରିଥିଲେ ଓ ସେଥିପାଇଁ ଏଭଳି ଅଣ୍ଡରଟେକିଂ ଲେଖାଇଥିଲେ ।

  • ପ୍ରତିକ୍ରିୟା ରଖିଲେ ଶର୍ମିଷ୍ଠାଙ୍କ ମା’
  • କହିଲେ, ଦୋଷ କରିଥିଲେ ଦଣ୍ଡ ପାଇବେ

ସେପଟେ କେନ୍ଦ୍ରାପଡ଼ାରେ ଶର୍ମିଷ୍ଠାଙ୍କ ମା’ କନକ ନ୍ୟୁଜରେ ପ୍ରତିକ୍ରିୟା ରଖି କହିଛନ୍ତି ସେମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ । ଯଦି ସେ ଭୁଲ କରିଥିଲେ, ତେବେ ଦଣ୍ଡ ପାଇବେ । ଏ ସବୁ ଭିତରେ ପୋଲିସ ଏବେ ବି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କ ଟେର ପାଉନାହିଁ । ଏହାଛଡ଼ା ସେ ମେମୋରି ଚିପରେ କ’ଣ ଥିଲା ସେ ବିଷୟରେ ବି କିଛି ତଥ୍ୟ ପାଇପାରୁନାହିଁ ।