ଲକ୍ଷ୍ମୀପୁର ମାମଲାରେ ୟୁପି ପୋଲିସ ଦାଖଲ କଲା ଦ୍ୱିତୀୟ ଚାର୍ଜସିଟ୍, ୭ ଜଣ କୃଷକ ଅଭିଯୁକ୍ତ

96

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀ ଠାରେ ହୋଇଥିବା ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟରେ ଡ୍ରାଇଭର ଓ ଦୁଇଜଣ ବିଜେପି ନେତାଙ୍କୁ ହତ୍ୟା କରିବା ଅଭିଯୋଗରେ ୭ ଜଣ କୃଷକଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି ।

କହିରଖୁ କି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିସ ମିଶ୍ରାଙ୍କର କାର ୪ ଜଣ କୃଷକ ଓ ଜଣେ ପତ୍ରକାରଙ୍କ ଉପରେ ମାଡିଯିବାରୁ ସେଠାରେ ପରିସ୍ଥିତି ଅଣାୟତ ହୋଇଥିଲା । ଏହାପରେ କୃଷକମାନଙ୍କ ତରଫରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ୨ ଜଣ ବିଜେପି ନେତାଙ୍କ ସମେତ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା ।

ଏହି ମାମଲାରେ ୟୁପି ପୋଲିସ ଯେଉଁ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା ସେଥିରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅକୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ଏହି ଘଟଣାର ଗୋଟିଏ ସପ୍ତାହ ପରେ ଆଶିସ ମିଶ୍ରାଙ୍କୁ ଗିରଫ କରିଥିଲା ୟୁପି ପୋଲିସ ।
ଏହି ମାମଲାରେ ଯାଂଚ କରୁଥିବା ଉତ୍ତର ପ୍ରଦେଶ ପୋଲିସର ସ୍ୱତନ୍ତ୍ର ଯାଂଚ ଦଳ ଚଳିତମାସ ଆରମ୍ଭରେ ସ୍ଥାନୀୟ କୋର୍ଟରେ ୫ ହଜାର ପୃଷ୍ଟାର ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା । ଏହି ଚାର୍ଜସିଟରେ ସମ୍ପୂର୍ଣ୍ଣ ଘଟଣା ପାଇଁ ଆଶିସ ମିଶ୍ରା ଦାୟୀ ବୋଲି କୁହାଯାଇଥିଲା ।