ଢିଙ୍କିଆ ବିବାଦରେ ଜିନ୍ଦଲର ସଫେଇ: କମ୍ପାନୀ କହିଲା, ସରକାର କରୁଛନ୍ତି ଶିଳ୍ପ ପ୍ରତିଷ୍ଠା, ପୋଲିସ କାର୍ଯ୍ୟାନୁଷ୍ଠାନରେ ନାହିଁ କୌଣସି ଭୂମିକା 

151

କନକ ବ୍ୟୁରୋ: ଜଗତସିଂହପୁର ଏରସମା ବ୍ଲକରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଅନେକ ଆପତି ଅଭିଯୋଗ ସହିତ ଅନେକ ଅପ୍ରିତିକର ଘଟଣା ଘଟିଯାଇଛି । ଢିଙ୍କିଆରେ ପୋଲିସର ଲାଠିମାଡ ପରେ ଏହାକୁ ନେଇ ରାଜନୀତି ତେଜିଛି । ପୁଲିସର କାର୍ଯ୍ୟାନୁଷ୍ଠାନରେ ଲୋକେ ଆହତ ହୋଇଥିବା ବେଳେ ବିରୋଧୀ ବିରୋଧ କରିଛନ୍ତି । ସେପଟେ ଢିଙ୍କିଆବାସୀଙ୍କ ମାନବାଧିକାର କ୍ଷୂର୍ଣ୍ଣ ହେବା ଭଳି ଅଭିଯୋଗ କରି ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପଂଚାୟତ ନିର୍ବାଚନ ବେଳେ ଢିଙ୍କିଆ ପ୍ରସଙ୍ଗକୁ ନେଇ ରାଜନୀତି ବି ଜୋର ଧରିଛି । ଏତେ କିଛି ଘଟିବା ପରେ ପ୍ରକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ଜିନ୍ଦଲ କମ୍ପାନୀ ସି.ଏସ.ଆର ମୁଖ୍ୟ ।

ନିର୍ବାଚନରେ ଜଗତସିଂହପୁରରେ ସବୁଠାରୁ ବଡ ପ୍ରସଙ୍ଗ ହେବାକୁ ଯାଉଛି ଢିଙ୍କିଆରେ ଜିନ୍ଦଲର କାରଖାନା । ଏହାକୁ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ମାମଲା ହାଇକୋର୍ଟରେ ପହଂଚିଛି । ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ଲୋକଙ୍କ ଉପରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଶୁଣାଣି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଆଉ ଏହାରି ଭିତରେ ପ୍ରଥମ ଥର ପାଇଁ ଜିନ୍ଦଲ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଏପଟେ ପୁଲିିସ ଆକ୍ରମଣ ଓ ମିଛ ମକଦମାରେ ସ୍ଥାନୀୟ ନେତାଙ୍କୁ ଫସା ଯାଉଥିବା ଅଭିଯୋଗ କରି ୧୩ଟି ରାଜନୈତିକ ଦଳ ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଢିଙ୍କିଆରୁ ପୁଲିସ ହଟାଇବା ସହ ଆନ୍ଦୋଳନକାରୀଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର ଏବଂ ଗିରଫ ନେତାଙ୍କ ଖଲାସ ଦାବି କରିଛନ୍ତି । ଏପରିକି ପୁଲିସ କାହା ଇସାରାରେ ସେଠି ଆତଙ୍କ ଚଳାଇଛି ତାର ତଦନ୍ତ ହାଇକୋର୍ଟଙ୍କ ତତ୍ୱାବଧାନରେ ଗଠିତ ଏସଆଇଟି ଦ୍ୱାରା କରାଇବା ପାଇଁ ଦାବି କରିଛନ୍ତି । ହେଲେ ଜିନ୍ଦଲ କର୍ତୃପକ୍ଷ କହିଛନ୍ତି, ରାଜ୍ୟ ସରକାର ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଯେଉଁ ସଂଗଠନମାନେ ଏହା ଶିଳ୍ପ ଅନୁପକୂଳ ବୋଲି ଦାବି କରୁଛନ୍ତି ସେନେଇ ତଥ୍ୟ ରଖନ୍ତୁ ବୋଲି ଖୋଲାଖୋଲି ଆହ୍ୱାନ କରିଛନ୍ତି ।

ବିରୋଧୀଦଳଙ୍କ ଆଭିମୁଖ୍ୟରୁ ଜଣାପଡୁଛି, ଢିଙ୍କିଆକୁ ନେଇ ଆଗକୁ ପଂଚାୟତ ପଲିଟିକ୍ସ ବେଶ ସରଗରମ ହେବ । କାରଣ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଅନୁଧ୍ୟାନକାରୀ କମିଟି ଗଠନ କରାଯାଇଛି । ପ୍ରଭାରୀ ଏ.ଚେଲ୍ଲା କୁମାର ତିନିଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ସେ ମଧ୍ୟ ଏହି କମିଟି ସହ ଢିଙ୍କିଆ ଯିବେ ବୋଲି ଜଣାପଡିଛି ।