ନିର୍ବାଚନ ସରିବାକୁ ଅପେକ୍ଷା । ଦେଶରେ ପୁଣି ବଢିପାରେ ତୈଳ ଦର

131

 ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଦ୍ରୁତ ଗତିରେ ବଢିଚାଲିଛି । ଗତ ୧ ମାସରେ ଏହା ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୮ ଡଲାରରେ ପହଞ୍ଚିଛି । ଏହା ଗତ ୭ ବର୍ଷରେ ସର୍ବୋଚ୍ଚ ତେଲ ଦର । ତୈଳ ଉତ୍ପାଦନକାରୀ ଦେଶ ସମୁହ ଓପେକ ପକ୍ଷରୁ ତେଲ ଉତ୍ପାଦନରେ ବିଶେଷ ବୃଦ୍ଧି କରାଯାଉନଥିବାରୁ ତେଲଦର ବୃଦ୍ଧି ପାଉଥିବା କୁହାଯାଉଛି । ଗୋଟିଏ ପଟେ ଅଶୋଧିତ ତେଲଦର ବଢିଚାଲିଥିବାବେଳେ ଅନ୍ୟପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଚାଲିଛି । ଏହା ଫଳରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନଙ୍କ କ୍ଷତି ବଢିଚାଲିଛି । ଏଣୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅବଶ୍ୟମ୍ଭାବୀ ହୋଇପଡ଼ିଛି । କିନ୍ତୁ ଆଗକୁ  ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଭାରତରେ ଗତ ନଭେମ୍ବର ୪ ପରଠାରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହୋଇନାହିଁ । ନଭେମ୍ବର ୪ରେ ସରକାର ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇଥିଲେ । ଉତ୍ପାଦ ଶୁଳକ କମାଇ ସରକାର ଏହି ଦର ହ୍ରାସ କରିଥିଲେ । ଏହା ପରେ କେତେକ ରାଜ୍ୟ ସରକାର ବି ଭାଟ୍ କମାଇ ଦର ଆହୁରି କମାଇଥିଲେ ।