ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ, ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ୍ ଭିକ୍ଟୋରିଆ ଗୌରୀ

387

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଓକିଲ ଲକ୍ଷ୍ମଣ ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନ ଗ୍ରହଣ କରିବାକୁ ମନା କରିଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ମାମଲାରେ କୋର୍ଟଙ୍କ ତରଫରୁ କୌଣସି ଆଦେଶ ଜାରି କରାଯାଇପାରିବ ନାହିଁ । ଏନେଇ ସୋମବାର ଦିନ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ଏହି ମାମଲାର ଶୁଣାଣି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ବିଆର ଗବଇଙ୍କ ସ୍ୱତନ୍ତ୍ର ଖଣ୍ଡପୀଠରେ ହୋଇଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ କି ଏହା ଏକ ଅସାଧାରଣ ମାମଲା ହୋଇଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । ଆବେଦନକାରୀଙ୍କ ପକ୍ଷରୁ ଓକିଲ କହିଥିଲେ କି ଯୋଗ୍ୟତା ଓ ଉପଯୁକ୍ତତା ମଧ୍ୟରେ ପାର୍ଥକ୍ୟ ରହିଛି । ଅଦାଲତ ଉପଯୁକ୍ତତା ଅବଲମ୍ବନ କରିବା ଉଚିତ ନୁହେଁ, ନହେଲେ ସମଗ୍ର ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ଏହାକୁ ନେଇ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ କି ଏଭଳି ଅନେକ ମାମଲା ରହିଛି ଯେତେବେଳେ ରାଜନୈତିକ ପୃଷ୍ଟଭୂମିର ଲୋକଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।

ସେପଟେ ଜଷ୍ଟିସ ବିଆର ଗବାଇ କହିଥିଲେ କି, ‘ମୁଁ ନିଜେ ଏକ ରାଜନୈତିକ ପରିବାରରୁ ଆସିଛି, ହେଲେ ମୋ ବିଚାରପତି ଜୀବନ କାଳରେ ଏହା କେବେ ବି ପ୍ରଭାବ ପକାଇ ନାହିଁ ’ । ଅନ୍ୟପଟେ ଆବେଦନକାରୀ ରାଜୁ ରାମଚନ୍ଦ୍ରନ କହିଥିଲେ କି ସମସ୍ୟା ରାଜନୈତିକ ପୃଷ୍ଟଭୂମିକୁ ନେଇ ନୁହେଁ ବରଂ ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ରହିଛି । ଏହାରି ମଧ୍ୟରେ ଓକିଲ ଏଲ ଭିକ୍ଟୋରିଆ ଗୌରୀ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ।

ଆବେଦନକାରୀଙ୍କର ମୁଖ୍ୟ ଅଭିଯୋଗ ଥିଲା କି ଏଲ ଭିକ୍ଟୋରିଆ ଗୌରୀ ସିଧାସଳଖ ଭାବେ ଏକ ରାଜନୈତିକ ଦଳ ସହ ସଂପୃକ୍ତି ରହିଛି । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଜଣାପଡିଛି କି ସେ ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚାର ମହାସଚିବ ପଦରେ ମଧ୍ୟ ରହିସାରିଛନ୍ତି । ଏଣୁ ତାଙ୍କୁ ବିଚାରପତି ଭାବେ ନିଯୁକ୍ତ କରାଗଲେ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସେ ଯୁକ୍ତି କରିଥିଲେ    ।