୫୩ ବର୍ଷରେ ଚାଲିଗଲେ କେକେ । ଯୁବବର୍ଗଙ୍କୁ ଆସୁଛି କାର୍ଡିଆକ୍ ଆରେଷ୍ଟ । କାରଣ କହିଲେ ବିଶେଷଜ୍ଞ ପଢନ୍ତୁ…

1,622

କନକ ବ୍ୟୁରୋ : ପ୍ରସିଦ୍ଧ ଗାୟକ କେକେଙ୍କ ପରଲୋକ ସମସ୍ତଙ୍କୁ ସବ୍ଧ କରିଛି । କୋଲକାତାରେ ଲାଇଭ ଚାଲିଥିବା ବେଳେ ତାଙ୍କ ଦେହ ହଠାତ୍ ଖରାପ ହୋଇପଡିଥିଲା । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ତେବେ ସେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇସାରିଥିଲା । କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ତେବେ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ କାର୍ଡିଆକ ଆରେଷ୍ଟ ଆସିବା ପରେ ତାଙ୍କର ଦେହାନ୍ତ ହୋଇଥିଲା । କାର୍ଡିଆକ ଆରେଷ୍ଟ ହେବା ପରେ ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥାଏ । ୫୩ ବର୍ଷ ବୟସରେ କେକେ ପୂରା ଫିଟ୍ ଦେଖାଯାଉଥିଲେ । ତେବେ ତାଙ୍କର କାର୍ଡିଆକ ଆରେଷ୍ଟରେ ମୃତ୍ୟୁଖବର ସମସ୍ତଙ୍କୁ ଚକିତ କରିଦେଇଛି । ସୋ ବେଳେ କେକେ ଅନେକ ଥର ଝାଳ ପୋଛୁଥିବା ଦେଖାଯାଇଥିଲା । ଅନେକ ଥର ସେ ବ୍ୟସ୍ତବିବ୍ରତ ଥିବା ମଧ୍ୟ ନଜର ଆସିଥିଲେ । ହସପିଟାଲ ନିଆଯିବା ସମୟର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଯୁବଗୋଷ୍ଠୀ ହେଉଛନ୍ତି ହୃତଘାତର ଶିକାର
କେକେଙ୍କ ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି କମ ବୟସରେ ହୃତଘାତର ଶିକାର ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୨୯ରେ ଦକ୍ଷିଣ ଭାରତୀୟ ଅଭିନେତା ପୁନିତ ରାଜକୁମାରଙ୍କ ମୃତ୍ୟୁ ହୃତଘାତରେ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହେଉଥିଲା । ସେହିଭଳି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟ ହୃତଘାତରେ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହେଉଥିଲା । ସେତେବେଳେ କେହି ବିଶ୍ୱାସ କରିନଥିଲେ ଏତେ ଫିଟ ଦେଖାଯାଉଥିବା ଏହି ଷ୍ଟାର ମାନେ ଏଭଳି ହୃତଘାତରେ ଚାଲିଯିବେ । ତେବେ ସ୍ୱାସ୍ଥ୍ୟ ବିଶାରଦଙ୍କ କହିବାକଥା ଯେ ଆମେ ସୁସ୍ଥ ଦେଖାଯିବାର ଅର୍ଥ ନୁହେଁ ଯେ ଆମ ହୃତପିଣ୍ଡ ସୁସ୍ଥ ।

କାହିଁକି ଅଚାନକ ଆସୁଛି କାର୍ଡିଆକ ଆରେଷ୍ଟ
ଅଚାନକ କାର୍ଡିଆକ ଆରେଷ୍ଟରେ ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥାଏ । ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଅନେକ ସମୟରେ ବେହୋସ ମଧ୍ୟ ହୋଇଯାଇଥାନ୍ତି । ଆମ ହୃତପିଣ୍ଡରେ ଦେଖାଯାଉଥିବା ଇଲେକଟ୍ରିକାଲ ତରଙ୍ଗରେ ଗଡବଡ ହେବା ପରେ ଏଭଳି ସ୍ଥିତି ଦେଖାଯାଇଥାଏ । ଏହା ହେବା ଦ୍ୱାରା ହୃଦୟର ଯେଉଁ କ୍ରିୟା ରହିଥାଏ ସେଥିରେ ବାଧା ସୃଷ୍ଟି ହୋଇଥାଏ । ହୃତପିଣ୍ଡକୁ ରକ୍ତ ଯିବା ବନ୍ଦ ହୋଇଯାଇଥାଏ । କାର୍ଡିଆକ ଆରେଷ୍ଟ ହୃତଘାତରୁ ଅଲଗା ହୋଇଥାଏ । ହୃତଘାତରେ ହୃତପିଣ୍ଡର ଗୋଟିଏ ପାଖକୁ ରକ୍ତ ଯିବା ବନ୍ଦ ହୋଇଯାଇଥାଏ । ତେବେ କାର୍ଡିଆକ ଆରେଷ୍ଟରେ ଅଚାନକ ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥାଏ ।

କାର୍ଡିଆକ ଆରେଷ୍ଟର ଲକ୍ଷଣ
କାର୍ଡିଆକ ଆରେଷ୍ଟର ଅନେକ ଲକ୍ଷଣ ରହିଛି । ଯେପରି ଅଚାନକ ତଳେ ପଡିଯିବା , ପଲ୍ସ ଚାଲିବା ବନ୍ଦ ହୋଇଯିବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ଲାଗିବା, ଦୁର୍ବଳ ଲାଗିବା, ଛାତିରେ କଷ୍ଟ ଅନୁଭବ କରି ଏହା ସ୍ୱାଭାବିକ ଠାରୁ କମ ଚାଲିବା । ତେବେ ଅଚାନକ କାର୍ଡିଆକ ଆରେଷ୍ଟରେ ଆହୁରି ଅନେକ ଲକ୍ଷଣ ନଜର ଆସିଥାଏ । ବିଶେଷଜ୍ଞଙ୍କ କାର୍ଡିଆକ ଆରେଷ୍ଟ ଓ ହୃତଘାତ ସହ ଜଡିତ ଅନେକ କଥା କହିଛନ୍ତି । ୩୦ରୁ ୪୦ ବର୍ଷ ବୟସରୁ ଏହି ସବୁ ଅସୁବିଧା ଦେଖିବାକୁ ମିଳୁଛି । ତେବେ ଏଥିପାଇଁ ଅନେକ କାରଣ ରହିଛି ଯେମିତି
୧. ସିଗାରେଟ ଟାଣିବା
୨. ଖରାପ କୋଲେଷ୍ଟ୍ରୋଲ
୩. ଉଚ୍ଚ ରକ୍ତଚାପ
୪. ମଧୁମେୟ
୫. ମାନସିକ ଓ ସମାଜିକ ଚିନ୍ତା
୬. ବ୍ୟାୟମ ନକରିବା
୭. ମୋଟାପଣ
୮. ଫଳ ଓ ପନିପରିବା ନଖାଇବା
୯. ମଦ୍ୟପାନ କରିବା
ଏହି ୯ଟି ବଡ କାରଣ ଯାହା ୯୦ ପ୍ରତିଶତ ହୃତଘାତ ହେଉବା ଅବା କାର୍ଡିଆକ ଆରେଷ୍ଟର ପ୍ରମୁଖ କାରଣ । ଏଥିରେ ଦୁଇ ବା ଦୁଇରୁ ଅଧିକ କାରଣ ରହିଛି ଯାହା ହୃତଘାତ ଓ କାର୍ଡିଆକ ଆରେଷ୍ଟର ସଙ୍କଟ ବଢାଇଦେଇଛି ।

ହୃତଜନିତ ସମସ୍ୟା ନେଇ କଣ କରିବେ?
ବିଶେଷଜ୍ଞ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ଚେକଅପ କରିବା ଦରକାର । ନିଜର ରକ୍ତଚାପ, ସୁଗାର ସ୍ତର, କୋଲେଷ୍ଟ୍ରୋଲ ସ୍ତରର ନିୟମିତ ଯାଞ୍ଚ କରିବା ଦରକାର । ଯଦି ଏହା ଅଧିକ ରହିଛି ତେବେ ଶୀଘ୍ର ଏହାର ଚିକିତ୍ସା କରିନେବା ଦରକାର । ରକ୍ତଚାପ ସ୍ତର ୧୩୦-୮୦ରୁ କମ ରହିବା ଭଲ । ସେହିଭଳି ସୁଗର, କୋଲେଷ୍ଟ୍ରୋଲ ଯେତେକମ ରହିଲେ ତାହା ସ୍ୱାସ୍ଥ୍ୟପାଇଁ ଭଲ । ରୋଗରୁ ବର୍ତ୍ତିବା ପାଇଁ ନିୟମିତ ଭାବେ ବ୍ୟାୟାମ କରିବା ଦରକାର । ସେ ସାଇକେଲ ଚଲାଇବା ହେଉ ଅବା ଦୌଡିବା ହେଉ । ପ୍ରତ୍ୟେକ ୩୦ରୁ ୪୦ ମିନିଟର ବ୍ୟାୟାମ ଦେହକୁ ଆବଶ୍ୟକ ରହିଛି । ତେବେ ଅଧିକ ବ୍ୟାୟାମ ମଧ୍ୟ ଦେହ ପାଇଁ କ୍ଷତି କାରକ । ଯଦି ମାସରେ ଥରେ ବ୍ୟାୟାମ କରୁଛି ତେବେ ତାହା ଜମା ଭଲ ନୁହେଁ ।