ମଣିପୁର ହିଂସାରେ ଏଯାଏଁ ଗଲାଣି ୫୪ ଜୀବନ, ନିଜ ରିପୋର୍ଟରେ ଦର୍ଶାଇଲେ ରାଜ୍ୟ ସରକାର

128

କନକ ବ୍ୟୁରୋ : ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଣିପୁର ସରକାର ଆକଳନ କରିଛନ୍ତି । ସରକାରଙ୍କ ଆକଳନ ଅନୁଯାୟୀ ଏହା ମୋଟ ୫୪ ହୋଇଥିବାବେଳେ ଏହା ବାସ୍ତବରେ ଅଧିକ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଭୟରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ମଣିପୁର ଛାଡ଼ି ପଡ଼ୋଶୀ ଆସାମର ଚଚ୍ଚାର ଜିଲ୍ଲାକୁ ସ୍ଥାନାନ୍ତର ହୋଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଦାୟିତ୍ୱ ନେବାକୁ କହିଛନ୍ତି । ତେବେ ସେହିପରି ଧିରେ ଧିରେ ସ୍ୱାଭାବିକ ହେଉଛନ୍ତି ମଣିପୁରର ବିଭିନ୍ନ ଅଂଚଳ । ହିଂସା ଅଂଚଳକୁ ସ୍ୱାଭାବିକ କରୁଛି ସେନା । ଗତ କିଛି ଦିନ ହେବ ହିଂସାର ନିଆଁରେ ଜଳୁଥିବା ମଣିପୁର ଏବେ ଧିରେ ଧିରେ ସ୍ୱାଭାବିକ ଅବସ୍ଥାକୁ ଗତି କରୁଛି । ରାଜ୍ୟରେ ସେନା ଆସାମ ରାଇଫଲସ୍ ଏବଂ ର୍ୟାପିଡ଼ ଆକ୍ସନ ଫୋର୍ସ ନିୟୋଜିତ ହେବା ପରେ ପରିସ୍ଥିତି ସୁଧୁରିବାକୁ ଲାଗିଛି । ତେବେ ଶନିବାର ଇମ୍ପାଲ ଉପତ୍ୟକାରେ ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଯାନବାହାନ ଚଳାଚଳ କରିଛି । ମୋଟ ୧୧ ହଜାର ପାଖାପାଖି ସୈନ୍ୟ ନିୟୋଜିତ ହୋଇଥିବାବେଳେ ଇମ୍ପାଲ ଓ ବହୁ ସ୍ଥାନରେ ଧିରେ ଧିରେ ଜନଜୀବନ ସ୍ୱାଭାବିକ ହେବାକୁ ଲାଗିଛି । ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଲୋକମାନେ ଭୟ ଦୂର କରି ଦୋକାନ ବଜାରରୁ ଅତ୍ୟାବଶ୍ୟକ ଜିନିଷ କିଣିଛନ୍ତି । ସେହିପରି ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି । ଏକ ଛୋଟ କାରଣକୁ ନେଇ ମଣିପୁର ହିଂସା ଏତେ ଉଗ୍ର ରୂପ ନେବ ତାହା କଳ୍ପନାର ବାହାର । ସଂରକ୍ଷଣ ଦାବିକୁ ନେଇ ମଣିପୁର ହିଂସା ଉଗ୍ର ରୂପ ନେଇଛି । ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ବି ମୁରଲୀଧରନ ନିକଟରେ ଏକ ଆଦେଶ ଦେଇଥିଲେ । ମୈତି ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦାବି ଉପରେ ସରକାରଙ୍କୁ ବିଚାର କରିବାକୁ କହିଥିଲେ କୋର୍ଟ । କୋର୍ଟଙ୍କ ଏହି ଫଇସଲା ବିରୋଧରେ ଅଲଇଣ୍ଡିଆ ଷ୍ଟୁଡେଂଟ ୟୁନିୟନ ଅଫ ମଣିପୁର ମଙ୍ଗଳବାର ଆଦିବାସୀ ଏକତା ରାଲି ବାହାର କରିଥିଲା । ଏହି ସମୟରେ ଆଦିବାସୀ ଓ ମୈତି ସମ୍ପ୍ରଦାୟ ମଧ୍ୟରେମୁହାଁମୁହିଁ ଓ ପରେ ବଡ ସଂଘର୍ଷର ରୂପ ନେଇଥିଲା । ମଣିପୁର ହିଂସାକୁ ରୋକିବାକୁ ସେନା ପକ୍ଷରୁ ଶତଚେଷ୍ଟା ଚାଲିଥିବାବେଳେ ଏନେଇ ଭାରତ ଆବଶ୍ୟକ ପଦକ୍ଷେପ ଓ ଉଚିତ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି ।