‘କିକି’ ନେଇ ଯାଇପାରେ ଜୀବନ ? ଇଣ୍ଟରନେଟରେ ଟ୍ରେଣ୍ଡିଂ ‘କିକି’ ଚ୍ୟାଲେଞ୍ଜ ନେଇ ଓଡିଶା ପୋଲିସର ପରାମର୍ଶ, କଣ୍ଟ୍ରୋଲ ୟୋର ଫିଲିଙ୍ଗ୍ସ

49

କନକ ବ୍ୟୁରୋ: ବିଗତ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ‘କିକି’ ବା ‘ଇନ୍ ମାଇଁ ଫିଲିଙ୍ଗ୍ସ’ ଚ୍ୟାଲେଞ୍ଜ । ସାରା ବିଶ୍ୱରେ ଏହି ଚ୍ୟାଲେଞ୍ଜର ନିଶା ଏବେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କୁ ମତୁଆଲା କରି ଦେଇଛି । ଏହି କିକି ଚ୍ୟାଲେଞ୍ଜ ମଜାଦାର ହୋଇଥିଲେ ମଧ୍ୟ ଲୋକମାନେ ଏହାକୁ ଅନ୍ୟ ତରିକାରେ ଆପଣାଇ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି । ପୁରା ବିଶ୍ୱରେ ସୋସିଆଲ ମିଡିଆରେ ସେନସେସନ ଏହି ଚ୍ୟାଲେଞ୍ଜକୁ ନ କରିବା ପାଇଁ ଅନେକ ଦେଶ ସମେତ ଭାରତରେ ମଧ୍ୟ ଏହାକୁ ନ କରିବା ପାଇଁ ପୋଲିସ ବିଭାଗ ତରଫରୁ ପରାମର୍ଶ ଜାରି କରାଯାଇଛି । ଏହାକୁ ନେଇ ମଧ୍ୟ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ। ଏ ନେଇ ଓଡ଼ିଶା ପୋଲିସ ନିଜର ଟୁଇଟର ଆକାଉଣ୍ଟରେ ଏକ ସଚେତନଭିତ୍ତିକ ଟୁଇଟ୍ କରି ଓଡ଼ିଶାବାସୀଙ୍କୁ ଅବଗତ କରାଇଛି।

ଟ୍ରେଣ୍ଡ୍ ସହ ଭାସି ନ ଯାଇ ନିଜ ମନର ଉଦ୍ବେଗକୁ ନିୟନ୍ତ୍ରଣରେ ରଖିବାକୁ ଏବଂ ଉପସ୍ଥିତ ବୁଦ୍ଧି ଉପଯୋଗ କରିବାକୁ ପରାମର୍ଶ ଦେଇଛି। ଏଥିସହ ନିଜର ତଥା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଥିବା କୌଣସି କାମ ନ କରିବାକୁ ପୋଲିସ ସାଧାରଣ ଲୋକଙ୍କୁ ଜଣାଇଛନ୍ତି । ନିକଟରେ ରିଲିଜ ହୋଇଥିବା ପ୍ରସିଦ୍ଧ କାନାଡିଆନ୍ କଣ୍ଠଶିଳ୍ପୀ ଡ୍ରାକେଙ୍କ ‘ଇନ୍ ମାଇଁ ଫିଲିଙ୍ଗ୍ସ’କୁ ନ କରିବା ପାଇଁ ଓଡ଼ିଶା ପୋଲିସ ଟ୍ୱିଟରରେ ‘କଣ୍ଟ୍ରୋଲ ୟୋର୍ ଫିଲିଙ୍ଗ୍ସ’ ହାର୍ସଟ୍ୟାଗ୍ ଦେଇ ଲୋକଙ୍କୁ ସଚେତନ କରାଉଛନ୍ତି। ବର୍ତ୍ତମାନ ଟ୍ରେଣ୍ଡ୍ କରୁଥିବା ଏହି ଚ୍ୟାଲେଞ୍ଜକୁ ପୋଲିସ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ଏ ନେଇ କେତେକ ସିରିଜ୍ ଟୁଇଟ୍ ମାଧ୍ୟମରେ କାହାର ‘ଇନ୍ ମାଇଁ ଫିଲିଙ୍ଗ୍ସ’ ଚ୍ୟାଲେଞ୍ଜକୁ ଗ୍ରହଣ ନ କରିବାକୁ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛି।

ସୁଚନାମୁତାବକ, ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ରାସ୍ତା ମଝିରେ ଚଳନ୍ତା କାର୍ରୁ ଓହ୍ଲାଇ ଡ୍ରାକେଙ୍କ ‘କିକି ଡୁ ୟୁ ଲଭ୍ ମି’ ଗୀତରେ ଯୁବପିଢ଼ି ନୃତ୍ୟ କରୁଥିବା ବେଳେ ଏହାର ଭିଡିଓ ଏବେ ସବୁଆଡ଼େ ସାରା ବିଶ୍ୱରେ ଟ୍ରେଣ୍ଡ କରିଛି । ଗତ କିଛି ମାସ ତଳେ ‘ଦ ସିଗି ଶୋ’ର ଜଣାଶୁଣା କମେଡିଆନ୍ ଲିଲ୍ ସୁଜି ପ୍ରଥମେ ଏହି ଗୀତରେ ଚଳନ୍ତା କାର୍ରୁ ଓହ୍ଲାଇ ସିଗି ଷ୍ଟାଇଲ୍ରେ ଡ୍ୟାନ୍ସ କରିବା ପରେ ଏହା ଭାଇରାଲ ହୋଇଥିଲା। ଏହାପରେ ପରସ୍ପରକୁ ଚ୍ୟାଲେଞ୍ଜ ଦିଆନିଆ ହୋଇ ସମସ୍ତେ ନିଜ ନିଜର ଭିଡିଓକୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କରିବା ପରେ ଏହା ଟ୍ରେଣ୍ଡ୍ କରିଥିଲା। ଏପରି କି, ଭାରତରେ ମଧ୍ୟ ଏହାର କ୍ରେଜ୍ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି, ୟୁଟ୍ୟୁବର୍ ଏବଂ ଭିନେସ ମାନେ ନିଜ ନିଜ ଷ୍ଟାଇଲରେ ଭିଡିଓ ପ୍ରସ୍ତୁତ କରିବାକୁ ପଛାଇ ନ ଥିଲେ। ହେଲେ ଭାରତ ଭଳି ଏକ ଜନଗହଳିପୂର୍ଣ୍ଣ ଦେଶରେ ରାସ୍ତା ମଝିରେ ଚଳନ୍ତା କାର୍ରୁ ଓହ୍ଲାଇ ଡ୍ୟାନ୍ସ କରିବା ଅନେକଙ୍କୁ ମହଙ୍ଗା ପଡ଼ିଲା। କେତେଜଣ ନିଜେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ଆଉ କେତେଜଣ ଅନ୍ୟମାନଙ୍କୁ ସମସ୍ୟାରେ ପକାଇଲେ।

ଆଉ ଏବେ ଏହା ଓଡ଼ିଶାର କେତେଜଣ ଯୁବପିଢ଼ିଙ୍କୁ ମତୁଆଲା କରିଛି କିକି । ଯାହାକି ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି। ଓଡ଼ିଶା ପୋଲିସ ପକ୍ଷରୁ ‘କଣ୍ଟ୍ରୋଲ ୟୋର୍ ଫିଲିଙ୍ଗ୍ସ’ ଏବଂ ‘ସେନ୍ସ ଓଭର୍ ଟ୍ରେଣ୍ଡ୍’ ଟୁଇଟର ଟ୍ୟାଗଲାଇନ କରି ଲୋକଙ୍କୁ ସଚେତନ କରାଯାଇଛି। ‘କିକି ଚ୍ୟାଲେଞ୍ଜଠାରୁ ପରିବାର ଅଧିକ ସୁନ୍ଦର। ଟ୍ରେଣ୍ଡ୍ ଅପେକ୍ଷା ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଭାବାବେଗ ଆସେ ଓ ଯାଏ। ଏ ସବୁଠୁ ଜୀବନକୁ ଊର୍ଦ୍ଧ୍ୱରେ ରଖ’ ବୋଲି  ଟୁଇଟ୍ ରେ ଉଲ୍ଲେଖ କରାଯାଇଛି।