ଜାରି ହେବାକୁ ଯାଉଛି ମୋଦି ସରକାରଙ୍କ ନୂଆ ଯୋଜନା ! ଏଣିକି ଶସ୍ତାରେ ପ୍ରତି ପରିବାରକୁ ମିଳିବ ୨ କିଲୋ ଡାଲି ।
ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ସରକାରଙ୍କର ଦରଦ ଲୋକମାନଙ୍କ ପ୍ରତି ସେତିକି ବଢିବାରେ ଲାଗିଛି । ରାଜ୍ୟ ସରକାର ଲୋକମାନଙ୍କୁ ଗୋଟିଏ ସୁବିଧା ଯୋଗାଇ ଦେବା ବେଳେ କେନ୍ଦ୍ର ସରକାର ଲୋକମାନଙ୍କୁ ଆଉ ଦୁଇଟି ସୁବିଧା ଯୋଗାଇ ଦେଉଛନ୍ତି । ଟଙ୍କିକିଆ ଚାଉଳ ସ୍କିମକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଉଟରା ଚାଲିଛି । ରାଜ୍ୟ କହୁଛି ମୁଁ ଦେଉଛି, କେନ୍ଦ୍ର କହୁଛି ମୁଁ ଦେଉଛି । କେତେକ ରାଜ୍ୟ ସରକାର ନିଜସ୍ୱ ସ୍କିମ ଆରମ୍ଭ କରିବାକୁ ଘୋଷଣା କଲେଣି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରର ମୋଦି ସରକାର ମଧ୍ୟ ପଛକୁ ହଟିବାକୁ ଚାହୁଁନାହାନ୍ତି । ଏଥିପାଇଁ ଏକ ଡାଲି ସ୍କିମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ଏହି ସ୍କିମ ଅନୁସାରେ, କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ପରିବାର ପିଛା ମାସକୁ ଦୁଇ କିଲୋଗ୍ରାମ ଡାଲି ( ହରଡ, ମୁଗ ବା ଚଣା) ବଣ୍ଟନ କରାଯିବ । ପ୍ରଥମ ପର୍ୟ୍ୟାୟରେ ଦେଶର ୨୦୦ଟି ଜିଲ୍ଲାରେ ପ୍ରାୟ ୭୦ ନିୟୁତ ପରିବାରକୁ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଡାଲି ଦିଆଯିବ । ଏହି ଡାଲି ବଜାର ଦରର ଅଧା ମୂଲ୍ୟରେ ଦିଆଯିବ । ଅର୍ଥାତ ପ୍ରାୟ ୩୦ରୁ ୩୫ ଟଙ୍କା ମୂଲ୍ୟରେ ଡାଲି ଦିଆଯିବ । ଗତ ୨ ବର୍ଷ ହେଲା ଦେଶରେ ଡାଲି ଉତ୍ପାଦନ ଭଲ ହୋଇଛି । ସେଥିପାଇଁ ସରକାର ଚାଷୀଙ୍କଠାରୁ କିଣିଥିବା ପ୍ରାୟ ୪.୫ ନିୟୁତ ଟନ ଡାଲି ଏବେ ଗୋଦାମରେ ଭରି ରହିଛି । ଆଗକୁ ନୂଆ ଉତ୍ପାଦନ ଆସିବାକୁ ଥିବାରୁ ସରକାର ଏବେ ଗୋଦାମରେ ଥିବା ଡାଲିକୁ ବିକିବାକୁ ଚାହୁଁଛନ୍ତି । ଗତ ୨ ବର୍ଷରେ ସରକାର ଚାଷୀଙ୍କଠାରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଡାଲି କିଣିଥିଲେ, ମାତ୍ର ଶସ୍ତା ଦରରେ ଲୋକମାନଙ୍କୁ ବଣ୍ଟନ କରାଯିବା ଦ୍ୱାରା ସରକାରଙ୍କର ପ୍ରାୟ ୮ ହଜାର କୋଟି କ୍ଷତି ହେବ ।