କଂଗ୍ରେସର ଟିକେଟ କସରତ: ଓଡ଼ିଶାରେ ଆପଣାଇବ କର୍ଣ୍ଣାଟକ ଫର୍ମୁଲା, ଏବେଠାରୁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା

332

କନକ ବ୍ୟୁରୋ: ନିର୍ବାଚନ ଆସିଲେ କାହାକୁ ଟିକେଟ ମିଳିବ? ଟିକେଟ ପାଇବା ପାଇଁ ନେତାମାନେ ଲବି କରନ୍ତି । ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଂଝା ହୁଏ । ଯାହାକୁ ଏଡାଇବା ପାଇଁ ନିର୍ବାଚନକୁ ପ୍ରାୟ ୫ମାସ ଆଗରୁ କସରତ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଯିଏ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି କାମ କରୁଛନ୍ତି, ସେମାନଙ୍କ ତାଲିକା ପିସିସିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ।

୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଚୟନ କରିବାକୁ ଅଂଟା ଭିଡିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଟିକେଟ ବଂଟାକୁ ନେଇ ଯେପରି ଅଡୁଆ ସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ଏବେଠାରୁ ପ୍ରାର୍ଥୀ ଖୋଜା ପ୍ରକ୍ରିୟା ଆରମ୍ଭ କରି ଦେଇଛି କଂଗ୍ରେସ ।

କର୍ଣ୍ଣାଟକର ବିଜୟ ଫର୍ମୁଲାକୁ ଆପଣାଇବ ରାଜ୍ୟ କଂଗ୍ରେସ । ଏଥର ବଡ଼ ଲୋକଙ୍କ ସୁପାରିଶ ନୁହେଁ, ଯିଏ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି କାମ କରୁଛନ୍ତି, ସେମାନଙ୍କ ତାଲିକା ପିସିସିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି । ଏ ନେଇ ଗତ ୧୪ ତାରିଖରେ ଜିଲ୍ଲା ସଭାପତିମାନଙ୍କୁ ଚିଠି ଦିଆଯାଇଛି ।

୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ଜିଲ୍ଲା ସଭାପତି ପଠାଇବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା । ଏଥିପାଇଁ ମାନଦଣ୍ଡ ପ୍ରସ୍ତୁତ କରିଛି ପିସିସି । ଦଳର ଟିକେଟ୍ ପାଇବାକୁ ହେଲେ ପ୍ରଥମ ଯୋଗ୍ୟତା ହେଉଛି –

କଂଗ୍ରେସ: କାହାକୁ ମିଳିବ
ଯେଉଁ ନେତାଙ୍କର ଜିତିବା ସମ୍ଭାବନା ଅଧିକ
ଯେଉଁମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି
ଲୋକଙ୍କ ସମସ୍ୟା ଓ ସୁଖଦୁଃଖରେ ସାମିଲ ହୋଇଛନ୍ତି
ମହିଳା ଓ ଯୁବକମାନଙ୍କୁ ଦିଆଯିବ ପ୍ରାଥମିକତା

ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ବେଳେ ଜିଲ୍ଲାରେ ଥିବା ଦଳୀୟ ଜନପ୍ରତିନିଧି ଓ ପୂର୍ବତନ ଜନପ୍ରତିନିଧି, ଛାମୁଆ ସଂଗଠନ ଓ ବିଭିନ୍ନ ସେଲର ମୁଖ୍ୟମାନଙ୍କ ସହ ଆଲୋଚନା କରାଯିବ ଆଲୋଚନା ପରେ ୩ରୁ ୫ଜଣ ଯୋଗ୍ୟ ନେତାଙ୍କ ସମ୍ଭାବ୍ୟ ତାଲିକା ପିସିସିକୁ ପଠାଇବେ ଜିଲ୍ଲା ସଭାପତି ତାଲିକାକୁ ଯାଂଚ କରି ଏଆଇସିସିକୁ ପଠାଇବ ପିସିସି ପ୍ରାୟ ୫୦ଟି ଆସନରେ କିଏ ହେବ କଂଗ୍ରେସ ପ୍ରାର୍ଥୀ, ଏ ନେଇ ପ୍ରାୟ ସ୍ଥିର ହୋଇସାରିଛି ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ୨୦୨୪ରେ ଦଳର ପ୍ରଦର୍ଶନ ଭଲ ହେବ ବୋଲି ପୁଣି ଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । ଶରତ ପଟ୍ଟନାୟକ କହିଛନ୍ତି, ଆସନ୍ତା ନିର୍ବାଚନରେ ୯ରୁ ବଢ଼ି ୯୦ ଆସନରେ ପହଁଚିବ କଂଗ୍ରେସ । ଏ ନେଇ ଜାରି ରହିଛି ଅଭିଯାନ ।