ଖାଦ୍ୟଭାବ ଯୋଗୁଁ ଗାଜାରେ ଆରମ୍ଭ ହେଲାଣି ମୃତ୍ୟୁତାଣ୍ଡବ ।ଦିନକୁ ମିଳୁଛି କେବଳ ଗୋଟିଏ ଲିଟର ପାନୀୟ ଜଳ …..

690

କନକ ବ୍ୟୁରୋ : ୧୨ଦିନରେ ପହଁଚିଛି ଇସ୍ରାଏଲ-ହମାସ ଲଢେଇ । ଦୁଇ ପକ୍ଷର ମହାଯୁଦ୍ଧ ବର୍ତମାନ ବିରାଟ ମାନବୀୟ ସଙ୍କଟ ସୃଷ୍ଟି କରିଛି । ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ ଖାଦ୍ୟ ଓ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ହମାସ ଆତଙ୍କୀ ଗୋଷ୍ଠୀଙ୍କୁ ସମୂଳେ ନିପାତ ପାଇଁ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ସମସ୍ତ ପ୍ରକାର ସହାୟତା ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅତି ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଟୋପାଏ ପାଣି ଓ ଖଣ୍ଡେ ପାଉଁରୁଟି ପାଇଁ ଗାଜାବାସୀ ହୋଟେଲ ଓ ରେଷ୍ଟୁରାଂଟ ସମ୍ମୁଖରେ ଲମ୍ବାଧାଡି ଲଗାଉଛନ୍ତି । ସ୍ଥିତି ଏଭଳି ହୋଇଛି ଯେ ଦିନକୁ ମାତ୍ର ଗୋଟେ ଲିଟର ପାନୀୟ ଜଳ ମିଳୁଛି ।

ରୋଗୀ ମାନଙ୍କୁ ହସ୍ପିଟାଲରେ ବେଡ ମିଳୁନଥିବା ବେଳେ ଶବଦାହ ପାଇଁ ଶ୍ମଶାନରେ ମଧ୍ୟ ସ୍ଥାନ ମିଳୁନାହିଁ । ଶବଗୃହ ବଦଳରେ ମୃତଦେହ ଗୁଡିକୁ ଆଇସ୍କ୍ରିମ ପାଇଁ ଉଦ୍ଧିଷ୍ଟ ଫ୍ରିଜରରେ ରଖାଯାଉଥିବା ବେଳେ ଅନ୍ୟ କେଉଁଠି ଗଣଶବଦାହ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଇସ୍ରାଏଲର ନିର୍ଦ୍ଦେଶ ପରେ ଏବେ ୧୧ଲକ୍ଷରୁ ଉର୍ଦ୍ଧ ପାଲେଷ୍ଟାନୀୟ ଗାଜାର ଦକ୍ଷୀଣଭାଗ ଛାଡି ପଳାୟନ କରିସାରିଲେଣି, ଯାହା ବିରାଟ ମାନବୀୟ ସଙ୍କଟ ସ୍ଥିତି ସୃଷ୍ଟି କରିଛି ।

ଇସ୍ରାଏଲ ସେନା ଚାରିପଟୁ ଗାଜା ସୀମାକୁ ସିଲ୍ କରିଥିବା ବେଳେ ମାନବୀୟ ସହାୟତା ଠପ୍ ହୋଇଛି । ରିଲିଫ୍ ସାମଗ୍ରୀ ସବୁ ଗାଜା-ଇଜିପ୍ଟ ସୀମା ରାଫାରେ ଅଟକି ରହିଛି । ବିଦେଶୀ ନାଗରିକ ଏହି ବାଟଦେଇ ପଳାୟନ ଆଶଙ୍କା ଥିବାରୁ ଇଜିପ୍ଟ ନିଜର ସୀମା ବନ୍ଦ ରଖିଥିବା ବେଳେ ତୁରନ୍ତ ଏହାକୁ ଖୋଲିବାକୁ ଆମେରିକା ପକ୍ଷରୁ ଦାବି କରାଯାଇଛି । ଗାଜାବାସୀ ଖାଦ୍ୟ, ପିଇବା ପାଣି, ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିବା ବେଳେ ଜାତିସଂଘର ସ୍ୱାସ୍ଥ୍ୟବିଭାଗ ଏନେଇ ଚିନ୍ତାପ୍ରକଟ କରିଛି ।

ଦୁଇ ପକ୍ଷର ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦୦୦ରୁ ଉର୍ଦ୍ଧ ଜୀବନ ଯାଇଥିବା ବେଳେ ଆଗକୁ ଖାଦ୍ୟ ତଥା ଅନ୍ୟାନ୍ୟ ମୌଳିକ ସୁବିଧାର ଅଭାବରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।