ଆଜି ଶପଥ ନେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା: ଉପମୁଖ୍ୟମନ୍ତ୍ରୀ ହେବେ ଡି.କେ ଶିବକୁମାର

148

କନକ ବ୍ୟୁରୋ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସିଦ୍ଧରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଶନିବାର ବେଙ୍ଗାଲୁରୁର କାନ୍ତିବୀରା ଷ୍ଟାଡିୟମରେ ଶପଥଗ୍ରହଣ ସମାରୋହ ଆୟୋଜିତ ହେବ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ହେବାକୁ ଥିବା ଭବ୍ୟ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଶପଥ ସମାରୋହ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାବ୍ୟତୀତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ହେମନ୍ତ ସୋରେନଙ୍କୁ ମଧ୍ୟ ଶପଥ ସମାରୋହ ପାଇଁ ଡାକରା ମିଳିଛି । ସେହିପରି ସିପିଆଇ ମହାସଚିବ ଡି. ରାଜା, ସିପିଆଇ-ଏମ୍ ମହାସଚିବ ସୀତାରାମ ୟେଚୁରୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ତେବେ ଶପଥ ସମାରୋହ ପାଇଁ କଂଗ୍ରେସ, ଆମ ଆଦମୀ ପାର୍ଟି, ବିଏସପି ଓ ବିଆରଏସ୍ ସମେତ କିଛି ଦଳକୁ ନିମନ୍ତ୍ରଣ କରିନାହିଁ । ଅର୍ଥାତ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, କେସିଆର, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ, ବିଏସପି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ କାରଣରୁ ଶପଥ ସମାରୋହରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି । ତେବେ ଏହି ସମାରୋହରେ ସୋନିଆ , ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରିଛି କର୍ଣ୍ଣାଟକ କଂଗ୍ରେସ । ସେପଟେ ବିରୋଧୀଙ୍କୁ ଏକାଠିକୁ ନେଇ କଟାକ୍ଷ କରିଛି ବିଜେପି ।ହାଇକମାଣ୍ଡଙ୍କ ନିଷ୍ପତି ପରେ କର୍ଣ୍ଣାଟକ କଂଗ୍ରେସ୍ ଇନଚାର୍ଜ ରଣଦୀପ ସୂର୍ଜେୱାଲା ଓ ଏଆଇସିିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ସିଦ୍ଧରମେୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ନେଇ ବିଦ୍ଧିବଦ୍ଧ ଘୋଷଣା କରିଥିଲେ । ତେବେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳୁଛି, ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।