କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ଧାରଣାସ୍ଥଳରେ ପହଁଚିଲେ ପ୍ରିୟଙ୍କା ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲ, ନେତା କହିଲେ ଦେଶ ପାଇଁ ଗୌରବ ଆଣୁଥିବା କୁସ୍ତିଯୋଦ୍ଧାଙ୍କ ସମସ୍ୟା ଶୁଣୁନାହାଁନ୍ତି ସରକାର

247

କନକ ବ୍ୟୁରୋ : ମୁଣ୍ଡଫଟା ଖରାରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ବିରୋଧରେ ରଣହୁଙ୍କାର ଦେଇ ଶହ ଶହ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ କରୁଛନ୍ତି ବିରୋଧପ୍ରଦର୍ଶନ । ଧାରଣାକୁ ୭ଦିନ ପୂରିଥିବାବେଳେ ଶନିବାର ଏମାନଙ୍କୁୁ ଭେଟିବା ପାଇଁ ପହଁଚିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ମୋଦି ସରକାରଙ୍କୁ ପ୍ରିୟଙ୍କା ଟାର୍ଗେଟ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ କରାଯାଇଥିବାବେଳେ, ଦ୍ୱିତୀୟ ଏଫଆଇଆରଟି ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ହୋଇଛି । ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି ବ୍ରିଜ୍ ଭୁଷଣଙ୍କ ପ୍ରତିକ୍ରିୟା । ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟ ବୋଲି ସଫେଇ ରଖିଛନ୍ତି ବ୍ରିଜ୍ ଭୁଷଣ ।

ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନୁହେଁ ବଂର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିରୋଧରେ ମଧ୍ୟ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ରହିଛି । ମାମଲାକୁ ମନ୍ତ୍ରୀ ଗମ୍ଭୀରତା ସହ ଗ୍ରହଣ କରୁନାହାଁନ୍ତି କହିଛନ୍ତି କୁସ୍ତିଯୋଦ୍ଧା । ଯେପର୍ଯ୍ୟନ୍ତ ବ୍ରିଜଭୂଷଣ ଜେଲ୍ ଯାଇ ନାହାନ୍ତି, ନିଜ ପଦରୁ ଇସ୍ତଫା ଦେଇନାହାଁନ୍ତି , ସେପଯ୍ୟନ୍ତ ଆନ୍ଦୋଳନରେ ଜାରି ରହିବ ବୋଲି ରୋକଠୋକ କହିଛନ୍ତି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା