କାମିଲା ପିନ୍ଧିବେ ଜଗନ୍ନାଥଙ୍କ ‘କୋହିନୂର’ । ପୁଣିଥରେ ‘କୋହିନୂର’ ହୀରାକୁ ଫେରାଇ ଆଣିବାକୁ ଦାବି ।

385

କନକ ବ୍ୟୁରୋ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ଏବେ ଧାରଣ କରିବେ ରାଜା ଚାର୍ଲସ ତୃତୀୟଙ୍କ ପତ୍ନୀ କାମିଲା । ରାଣୀଙ୍କ ମୁକୁଟରେ ଶୋଭା ପାଇବ ବିଶ୍ୱପ୍ରସିଦ୍ଧ କୋହିନୂର ହୀରା । ତେବେ ଏ ହେଉଛି ସେହି କୋହିନୂର ହୀରା ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ । ତେବେ ମହାରାଣୀଙ୍କ ମୃତ୍ୟୁ ପରେ କୋହିନୂର ହୀରା ଭାରତ ଫେରିବ କି ନାହିଁ ସେନେଇ ପୁଣିଥରେ ଉଠିଛି ପ୍ରଶ୍ନ । ବହୁମୂଲ୍ୟ କୋହିନୂର ହୀରାକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ ରାଜା ରଣଜୀତ୍ ସିଂହ ।

ଏହି କୋହିନୂର ହୀରାର ଚମକ ଏତେ ଆକର୍ଷଣୀୟ ଥିଲା ଯେ ଏହାକୁ ହାସଲ କରିବା ପାଇଁ ରାଜାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୧୩୨୩ରେ ମହମ୍ମଦ ବିନ୍ ତୋଗଲକ ଏହି ହୀରାକୁ ପାଖରେ ରଖିଥିଲେ । ୧୫୨୬ ମସିହାରେ ମୋଗଲ ସମ୍ରାଟଙ୍କ ପାଖରେ ପହଁଚିଥିଲା କୋହିନୂର ହୀରା । ୧୭୩୯ ମସିହାରେ ନାଦୀର ଶାହା ମୟୂର ସିଂହାସନ ଓ କୋହିନୂର ହୀରାକୁ ଆଫଗାନିସ୍ତାନ ନେଇ ଯାଇଥିଲେ । ଏହାକୁ ପୁଣିଥରେ ଭାରତ ଆଣିଥିଲେ ଶିଖ ବୀର ରାଜା ରଣଜିତ ସିଂହ ।

କୋହିନୂର ହୀରା ସହ ଅପବାଦ ମଧ୍ୟ ଯୋଡ଼ି ହୋଇ ରହିଥିଲା । ଏହାକୁ ଯିଏ ଧାରଣ କରୁଥିଲା, ତାର ସର୍ବନାଶ ହେଉଥିବା ନେଇ ଏକ ବିଶ୍ୱାସ ସୃଷ୍ଟି ହୋଇଥିଲା । ଏହାର ଇତିହାସ ଜାଣିବା ପରେ ୧୮୩୦ ମସିହାରେ ରାଜା ରଣଜିତ ସିଂହ ଶ୍ରୀମନ୍ଦିରକୁ ଆସି ବଟବୃକ୍ଷ ମୂଳେ ଶ୍ରୀଜଗନ୍ନାଥଙ୍କୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେ । କୋହିନୂର ଦାନ କରିବା ନେଇ ଏକ ଉଇଲ୍ ମଧ୍ୟ କରିଥିଲେ ରାଜା ରଣଜିତ ସିଂହ ।

ରାଜା ରଣଜିତ୍ ସିଂହ ଉଇଲ୍ କରିବାର ୯ ବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରାଜନୈତିକ ଅସ୍ଥିରତା ଲାଗିରହିଲା । ଆଙ୍ଗଲୋ-ଶିଖ୍ ଯୁଦ୍ଧ ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଗଲା କୋହିନୂର ହୀରା । ଇଷ୍ଟ ଇଣ୍ଡିଆ କମ୍ପାନୀର ୨୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ରିଟେନ୍ ରାଜପରିବାରକୁ ଏହା ହସ୍ତାନ୍ତର କରାଗଲା । ସେବେଠାରୁ ବ୍ରିଟେନ ରାଜପରିବାର ମହିଳାମାନେ ଏହି ହୀରା ଧାରଣ କରୁଛନ୍ତି । ୧୯୧୧ ମସିହାରେ କୁଇନ୍ସ ମ୍ୟାରୀଙ୍କ ମୁକୁଟରେ ସ୍ଥାନ ପାଇଥିଲା କୋହିନୂର । କାଳକ୍ରମେ ଏହି ପ୍ରଥା ଚାଲିଆସିଛି । ବ୍ରିଟେନର ରାଣୀଙ୍କ ମୁକୁଟରେ ଶୋଭା ପାଉଛି କୋହିନୂର ହୀରା ।

ଏପଟେ ମହାପ୍ରଭୁ ଜଗନ୍ନାଥଙ୍କୁ କୋହିନୂର ହୀରା ଦାନ କରାଯାଇଥିବାରୁ ୨୦୧୬ରେ ହୀରାକୁ ଫେରାଇ ଆଣିବା ପାଇଁ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଚିଠି ଲେଖିଥିଲେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଜବାବରେ ହୀରା ଫେରାଇ ହେବନି ବୋଲି ବକିଂହମ୍ ପ୍ୟାଲେସ୍ ଠାରୁ ଚିଠି ଆସିଥିଲା । ଏବେ ରାଣୀଙ୍କ ମୃତ୍ୟୁ ପରେ ହୀରା ପୁଣିଥରେ ପୁରୀ ଶ୍ରୀମନ୍ଦିରକୁ ଫେରି ଆସିବ କି ନାହିଁ ସେନେଇ ଉଠିଛି ପ୍ରଶ୍ନ ।

ତେବେ ‘କୋହ-ଇ-ନୂର’ ପାର୍ସି ଭାଷାରେ ଯାହାର ଅର୍ଥ ହେଉଛି ‘ଆଲୋକର ପାହାଡ଼’ । ଭାରତର କୋଲୁର ଖଣିରୁ ମିଳିଥିଲା ଏହି ହୀରା । ୧୦୫.୬ କ୍ୟାରେଟ୍ ଏହି ହୀରାର ଓଜନ ୨୧.୧୨ ଗ୍ରାମ । ଏହାର ଲମ୍ବ-୩.୪ ସେଣ୍ଟିମିଟର, ପ୍ରସ୍ଥ-୩.୨ ସେଣ୍ଟିମିଟର ଏବଂ ମୋଟେଇ-୧.୩ ସେଣ୍ଟିମିଟର । ଅଣ୍ଡାକାର ଆକୃତି ଏବଂ ଏହାର ୬୬ଟି ପାର୍ଶ୍ୱ ରହିଛି । ଏହାକୁ ନେଇ ୮ଶହ ବର୍ଷ ଧରି ବିବାଦ ରହିଛି ।