ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ ନାରାୟଣ ସିଂଦେଓ

583

କନକ ବ୍ୟୁରୋ: କଂଗ୍ରେସ ବିଧାୟକଙ୍କ ଘରେ ବିଜେଡି ନେତା । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଦେଇଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ । ପରିକ୍ରମା ପ୍ରକଳ୍ପ ସମୟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ-ଚାଉଳ ପଠାଇଥିଲେ ଶ୍ରଦ୍ଧାଳୁ । ଏହି ଭକ୍ତିଭାବକୁ ସମ୍ମାନ ଜଣାଇ, କଳିକେଶ ବଲାଙ୍ଗୀର ସହରରେ ବୁଲି ବୁଲି ପ୍ରସାଦ ବାଣ୍ଟିଛନ୍ତି । ଏହି ସମୟରେ ସାମ୍ନାକୁ ଆସିଛି ରାଜନୀତିର କିଛି ରୋଚକ ଦୃଶ୍ୟ ।

ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବିଜେଡି ନେତା କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପତ୍ନୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇଛନ୍ତି । କେବଳ ସେତିକି ନୁହେଁ, ନରସିଂହଙ୍କ ପୁଅ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କ ଚାମ୍ବରକୁ ଯାଇ ତାଙ୍କୁ ପୁରୀ ପ୍ରସାଦ ଦେଇଛନ୍ତି କଳିକେଶ । ବଲାଙ୍ଗୀର ରାଜ ପରିବାର ଏବଂ ମିଶ୍ର ପରିବାର ଭିତରେ ଥିବା ରାଜନୈତିକ ପ୍ରତିନ୍ଦ୍ୱନ୍ଦିତା ସାରା ଓଡ଼ିଶା ଦେଖିଛି । କିନ୍ତୁ ଜଗନ୍ନାଥଙ୍କ ପ୍ରସାଦ ପହଞ୍ଚାଇବା ପାଇଁ ରାଜନୈତିକ ପ୍ରତିନ୍ଦ୍ୱନ୍ଦିତାକୁ ପଛରେ ପକାଇ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚିଯାଇଛନ୍ତି ହାଉସିଂ ବୋର୍ଡ ଅଧ୍ୟକ୍ଷ ।

ସକାଳୁ ସକାଳୁ ପୁରୀ ପ୍ରସାଦ ଧରି ବାହାରିପଡ଼ିଥିଲେ କଳିକେଶ ସିଂଦେଓ । ଭଜନ କୀର୍ତ୍ତନ କରି ସହରର ବିଭିନ୍ନ ସାହିରେ ପ୍ରସାଦ ବାଣ୍ଟିଥିଲେ ବିଜେଡି ନେତା । ପରିକ୍ରମା ପ୍ରକଳ୍ପ ସମୟରେ ଗୁଆ-ଚାଉଳକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ପୁରୀ ପ୍ରସାଦ ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚାଇ, ଶ୍ରଦ୍ଧାଳୁଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ।