ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ

135

କନକ ବ୍ୟୁରୋ : ପାରମ୍ପରିକ ଚାଷ ପରିବର୍ତେ ନୂଆ ପ୍ରଣାଳିରେ ମାଛ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ାର ଯୁବ ଚାଷୀ ଶ୍ରୀନିବାସ ସାହୁ । ୨୦ ଏକର ଜମି ଲିଜ୍ ନେଇ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଶ୍ରୀନିବାସ । ଏହି ଚାଷ ପାଇଁ ଆନ୍ଧ୍ର ପ୍ରଦେଶର ଆମଲାପୁରମ ଓ ରାଜମହେନ୍ଦ୍ରୀରୁୁ ଯାଁଆଳ ଆଣିବାକୁ ପଡ଼ୁଛି । ସେହିପରି କଲିକତାରୁ ମାଛ ମାନଙ୍କ ପାଇଁ ଖାଦ୍ୟ ଆଣୁଛନ୍ତି ଶ୍ରୀନିବାସ । ଏକର ପିଛା ମାଛ ଚାଷ ପାଇଁ ଚାଷୀ ଜଣକ ୨ ଲକ୍ଷ ଟଙ୍କା ବିନିଯୋଗ କରୁଥିବାବେଳେ ୬ ମାସରେ ଥରେ ପଖୋରୀରୁ ମାଛ ଉତ୍ପାଦନ ହେଉଛି । ଉତ୍ପାଦିତ ମାଛକୁ ଚାଷୀ ଜଣକ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଲାଇଭ ଫିସ ଆକାରରେ ପଶ୍ଚିମ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ଭବାନିପାଟଣା, କଳାହାଣ୍ଡି, ବରଗଡ଼ ଓ ଖରିଆର ଭଳି ବିଭିନ୍ନ ସହରକୁ ରପ୍ତାନି କରି ବେଶ ଲାଭବାନ ହେଉଛନ୍ତି ।

ପୂର୍ବରୁ ବ୍ୟବସାୟୀ ମାନେ ଆନ୍ଧ୍ରର ମାଛ ଉପରେ ନିର୍ଭର କରୁଥିଲେ । ଆନ୍ଧ୍ରପ୍ରଦେଶରୁ ବରଫ ଦିଆ ମାଛ ଆଣି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲେ । ଏବେ ଶ୍ରୀନିବାସଙ୍କ ଠାରୁ ଲାଇଭ ଫିସ୍ କିଣି ବ୍ୟବସାୟ କରୁଛନ୍ତି ବ୍ୟବସାୟୀ । ଜିଅନ୍ତା ମାଛ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ଆଗ୍ରହ ବଢ଼ୁଛି । ଗ୍ରାହକଙ୍କ ଚାହିଦା ମୁତାବକ ମାଛ ଯୋଗାଇଦେଉଥିବାରୁ ଭଲ ବ୍ୟବସାୟ ହେଉଥିବା କହିଛନ୍ତି ବ୍ୟବସାୟୀ ।

ପ୍ରଥମେ ୨୦୨୦ ମସିହାରେ ୫ ଏକର ଜମିରେ ପରୀକ୍ଷା ମୂଳକ ଭାବେ ମାଛ ଚାଷ ଆରମ୍ଭ କରିଥିଲେ ଶ୍ରୀନିବାସ । ଏଥିରେ ସଫଳ ହେବା ପରେ ଗୁଣୁପୁର ତଥା ରାମାନାଗୁଡ଼ା ଅଂଚଳର ୨୦ ଏକରରୁ ଅଧିକ ଜମିରେ ସେ ମାଛ ଚାଷ କରିଛନ୍ତି । ରୋଜଗାର କରିବା ପାଇଁ ବାଟ ଖୋଜୁଥିବା ଅନେକ ଯୁବପିଢ଼ିଙ୍କ ପାଇଁ ଶ୍ରୀନିବାସ ପାଲଟିଛନ୍ତି ପ୍ରେରଣା ।