ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି

156

କନକ ବ୍ୟୁରୋ : ରୋଜଗାର କରିବା ପାଇଁ କିଏ କେତେ ପ୍ରକାରର ପନ୍ଥା ଅପଣାଉଛନ୍ତି । କିଏ ଚାକିରି କରୁଛନ୍ତି ତ ପୁଣି କିଏ ବ୍ୟବସାୟ କରୁଛନ୍ତି । ତେବେ ବାଲେଶ୍ୱର ଭୋଗରାଇ ବ୍ଲକ ଡୁମାଇପୁର ଗାଁର ମହିଳା ମାନେ ବିରିରୁ ବଡ଼ି ପ୍ରସ୍ତୁତ କରି ସେଥିରୁ କିଛି ରୋଜଗାର କରୁଛନ୍ତି । ବିନା ତାଲିମରେ ଗାଁର ମହିଳା ମାନେ କିପରି ରୋଜଗାର କରିପାରନ୍ତି ତାହା ଏହି ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ମହିଳା ମାନେ ମେସିନ୍ ସାହାଯ୍ୟରେ ଗୋଟା ବିରିକୁ ଫାଳ କରିବା ସହ ଚୋପା ଛଡ଼ାଇ ସେଥିରୁ ଡ଼ାଲି ଓ ବଡ଼ି ପ୍ରସ୍ତୁତ କରୁଛନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ଏହି କାମ ପାଇଁ ମହିଳା ମାନେ ଘର କାମ ପରେ ଏକାଠି ହୁଅନ୍ତି । ସମସ୍ତେ ମିଶି ବିରି ବାଟି ଏହାକୁ ଫେଣାଇ ବଡ଼ି ପାରନ୍ତି । ବଡ଼ି ଶୁଖିଲା ପରେ ଏହାକୁ ପ୍ୟାକେଟିଂ କରି ସ୍ଥାନୀୟ ଦୋକାନ ଓ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ୨୦୧୩ରେ ୧୧ ଜଣ ମହିଳା ମିଶି ରାଧାଶ୍ୱାମୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । କିଛି ରୋଜଗାର କରିବାର ଆଶା ନେଇ ଏହି ବ୍ୟବସାୟ ଆପଣାଇଛନ୍ତି । କୃଷି ବିଭାଗ ପକ୍ଷରୁ ମହିଳାଙ୍କୁ ଏକ ଡାଲି ପ୍ରସ୍ତୁତ ମେସିନ୍ ଯୋଗାଇଦିଆଯାଇଛି । ୮୦ ହଜାର ଟଙ୍କା ବିନିଯୋଗ କରି ୧୧ ଜଣ ମହିଳା ଏହି ବ୍ୟବସାୟରୁ କିଛି ଲାଭବାନ ହେଉଛନ୍ତି ।

ଭୋଗରାଇ ଅଞ୍ଚଳରେ ପ୍ରଚୁର ପରିମାଣର ବିରି ଓ ମୁଗ ଚାଷ ହେଉଥିବାରୁ ଚାଷୀଙ୍କ ଠାରୁ ବିରି ଓ ମୁଗ ସଂଗ୍ରହ କରି ଏଭଳି ଏକ ବ୍ୟବସାୟ କରୁଛନ୍ତି ମହିଳା । ଏଥିରୁ ତାଙ୍କୁ ମାସିକ ୨ରୁ ୩ ହଜାର ଟଙ୍କା ରୋଜଗାର ମିଳୁଛି । ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଷ୍ଟଲ ଯୋଗାଇଦିଆଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।