ଦୁଇବର୍ଷ ପରେ ପାଳିତ ହେବାକୁ ଯାଉଛି କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା । ସଚେତନତା ପରେ ମଧ୍ୟ ମା’ଙ୍କ ପାଖରେ ପଡ଼ିବ ବଳି । 

68

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଧୁମଧାମର ପାଳିତ ହେବାକୁ ଯାଉଛି ପ୍ରସିଦ୍ଧ ଛତର ଯାତ୍ରା । କରୋନା କଟକଣା କମିଥିବାରୁ ଏଥର ୩୦ହଜାରରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି ।  ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ସହରର ଟ୍ରାଫିକ ବ୍ୟବସ୍ଥାଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ରହିଥିବା ବଳି ପ୍ରଥା ପୁଣି ଆରମ୍ଭ ହେବ । ବଳି ପ୍ରଥାକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ପୋଷ୍ଟର ମରାଯାଇ ସଚେତନ କରାଯାଉଛି । ହେଲେ ଭକ୍ତଙ୍କ ମନସ୍କାମନା ପାଇଁ ସଚେତନତାକୁ ଫୁ’ କରାଯାଇଥିବା ଦେଖିବାକୁ ମିଳିଛି । ଛତର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ଖୋଦ୍ ଜିଲ୍ଲାପାଳ ଦାୟିତ୍ୱ ବହନ କରିଛନ୍ତି ।

ମୂଳାଷ୍ଟମୀଠୁ ଆରମ୍ଭ ହୋଇଥିବା ଏହି ପୂଜାରେ ରବିବାର ରାତିରେ ମହାବଳି ପୋଢ଼ ବଳି ଦେବା ପରେ ନିଶାର୍ଦ୍ଧ ରାତିରେ ମା’ ଛତର ପ୍ରତିମା ୨ କିଲୋମିଟର ଦୂର ଜେନାଖାଲକୁ ଯିବ । ସୋମବାର ପାହାନ୍ତରେ ପୁଣି ଗୁପ୍ତ ବଳି ପରେ ମା’ଙ୍କ ଛତର ପ୍ରତିମା ବାଜା, ଘୁମୁରାର ତାଳେତାଳେ ମନ୍ଦିର ଅଭିମୁଖେ ଯିବେ । ଗୋଟିଏ ପଟେ ମନସ୍କାମନା ପୂରଣ ପାଇଁ ମା’ଙ୍କ ପାଖରେ ବୋଦା, ଛାଗ, କୁକୁଡା ଆଦି ବଳି ଦିଆଯାଉଥିବା ବେଳେ ସେପଟେ ମା’ଙ୍କ ଛତ୍ର ଉପରେ କପୋତ ଉଡ଼ାଇ ବିଶ୍ୱ ଶାନ୍ତିର ବାର୍ତା ଦିଆଯିବାର ପରମ୍ପରା ମଧ୍ୟ ରହିଛି ।