ନ୍ୟାୟପାଳିକାରୁ ଅବସର ନେଇ ରାଜନୀତିକୁ ଆସିବେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି । ବିଜେପିରୁ ଲୋକସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ।

188

କନକ ବ୍ୟୁରୋ: ନ୍ୟାୟପାଳିକାରୁ ଅବସର ନେଇ ରାଜନୀତିରେ ଯୋଗ ଦେବେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି । କଲିକତା ହାଇକୋର୍ଟର ବିଚାରପତି ଭାବେ ସେ ଏବେ ଦାୟିତ୍ୱ ତୁଲାଉଛନ୍ତି । ଆସନ୍ତାକାଲି ଅବସର ଗ୍ରହଣ କରିବେ ବୋଲି ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ତାଙ୍କୁ ରାଜନୀତିକୁ ଆସିବାକୁ ଚ୍ୟାଲେଞ୍ଜ କରିଛି ବୋଲି କହିଛନ୍ତି ।

ଅଭିଜିତ କହିଛନ୍ତି, ସେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ । ତେବେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ହଠାତ୍ ଜଷ୍ଟିସ ଗାଙ୍ଗୁଲି ଅବସର ଗ୍ରହଣ କରିବା ନେଇ ନାନା ଚର୍ଚ୍ଚା ହେଉଛି । କୁହାଯାଉଛି ସେ ବିଜେପିର ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ତମଲୁକ ଲୋକସଭା ଆସନରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ହେଲେ ସେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । କୌଣସି ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି ବୋଲି କହିଛନ୍ତି ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାର ସିବିଆଇ ତଦନ୍ତ ପାଇଁ ୨୦୨୨ରେ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ଗାଙ୍ଗୁଲି । ସେହିପରି ରାଜ୍ୟରେ ଅନେକ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି ଜଷ୍ଟିସ ଗାଙ୍ଗୁଲି । ରାଜନୀତିକୁ ଆସି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ଏବେର ଉଦ୍ଦେଶ୍ୟ ବୋଲି ଜଷ୍ଟିସ ଗାଙ୍ଗୁଲି କହିଛନ୍ତି ।