ଜନଧନ ଖାତା ପାଇଁ ଚିନ୍ତାରେ ମୋଦି ସରକାର ! ଆଦୌ ଅର୍ଥ ନଥିବା ଖାତା ସଂଖ୍ୟା ବଢ଼ିବାରେ ଲାଗିଛି

43

ମୋଦି ସରକାରଙ୍କ ପାଇଁ ଏବେ ପ୍ରଧାନମନ୍ତ୍ରୀ ଜନଧନ ଖାତା ଚିନ୍ତାର କାରଣ ପାଲଟିଛି । କାରଣ ଆଦୌ ଅର୍ଥ ନଥିବା ଜନଧନ ଖାତା ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବିମୁଦ୍ରାକରଣ ପରେ ଜନଧନ ଖାତା ଗୁଡ଼ିକରେ ହଠାତ୍‌ ଜମାରାଶି ବଢ଼ି ଯାଇଥିଲା । କିନ୍ତୁ ଏବେ ପୁଣି ଜିରୋ ବାଲାନ୍ସ ଜନଧନ ଖାତା ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଥାତ୍‌ ବିମୁଦ୍ରାକରଣ ପରେ ଜନଧନ ଖାତାରେ ଯେଉଁ ଅର୍ଥ ଜମା କରାଯାଇଥିଲା ତାହାକୁ ଏବେ ଉଠାଇ ନିଆଯାଉଛି ।

ପରିସଂଖ୍ୟାନ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଗତବର୍ଷ ଅକ୍ଟୋବର ସୁଦ୍ଧା ଜନଧନ ସ୍କିମ୍‌ରେ ଖୋଲାଯାଇଥିବା ଜିରୋ ବାଲାନ୍ସ ଖାତା ସଂଖ୍ୟା ୫.୯୩ କୋଟି ରହିଥିଲା । କିନ୍ତୁ ଚଳିତବର୍ଷ ଫେବ୍ରୁଆରି ସୁଦ୍ଧା ଜିରୋ ବାଲାନ୍ସ ଜନଧନ ଖାତା ସଂଖ୍ୟା ୬.୯୦ କୋଟିରେ ପହଞ୍ଚିଛି । ଏହି ବିଷୟର ଗମ୍ଭୀରତାକୁ ଦେଖି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବୈଠକ ଆରମ୍ଭ ହୋଇଯାଇଛି ।

ସରକାର ଖୁବ୍‌ଶୀଘ୍ର ଏ ନେଇ ବ୍ୟାଙ୍କ ଗୁଡ଼ିକ ସହିତ ମଧ୍ୟ ବୈଠକ କରିବା ଯୋଜନା ରଖିଛନ୍ତି । ବ୍ୟାଙ୍କ ଗୁଡ଼ିକ ସରକାରଙ୍କୁ ସଫା ସଫା କହିବା ଆରମ୍ଭ କଲେଣି ଯେ ଜିରୋ ବାଲାନ୍ସ ଖାତାର ପରିଚାଳନା ବୋଝ ସମ୍ଭାଳିବା ସମ୍ଭବ ନୁହେଁ । ତେଣୁ ଏହି ଖାତା ଗୁଡ଼ିକୁ ବନ୍ଦ କରିଦେବା ଉପରେ ବ୍ୟାଙ୍କ ଗୁଡ଼ିକ ଗୁରୁତ୍ୱାରୋପ କରୁଛନ୍ତି । ବିତ୍ତ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୧୭ ଜୁନ୍‌ ୧୪ ସୁଦ୍ଧା ଦେଶରେ ୨୮.୯ କୋଟି ପ୍ରଧାନମନ୍ତ୍ରୀ ଜନଧନ ଖାତା ଖୋଲାଯାଇଥିଲା ।

ଏହା ମଧ୍ୟରୁ ୨୩.୨୭ କୋଟି ଜନଧନ ଖାତା ସରକାରୀ ବ୍ୟାଙ୍କରେ, ୪.୭ କୋଟି ଖାତା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ଏବଂ ୯୨.୭ ଲକ୍ଷ ଖାତା ଘରୋଇ ବ୍ୟାଙ୍କ ଗୁଡ଼ିକରେ ଖୋଲାଯାଇଥିଲା । ଏସବୁ ଖାତା ଗୁଡ଼ିକରେ ମୋଟ ୬୪,୫୬୪ କୋଟି ଟଙ୍କା ଜମା ରହିଥିଲା । ଏଥିରୁ ସରକାରୀ ବ୍ୟାଙ୍କରେ ୫୦,୮୦୦ କୋଟି ଟଙ୍କା, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରେ ୧୧,୬୮୩.୪୨ କୋଟି ଟଙ୍କା ଏବଂ ଘରୋଇ ବ୍ୟାଙ୍କରେ ୨୦୮୦.୬୨ କୋଟି ଟଙ୍କା ଜମା ହୋଇଥିଲା ।

ଜନଧନ ଖାତାରେ କମ୍‌ ପରିମାଣର ଜମାରାଶି ରହୁଥିବା ପ୍ରସଙ୍ଗରେ ବ୍ୟାଙ୍କ ଗୁଡ଼ିକ ଅନେକ ଥର ସରକାରଙ୍କ ସହିତ ଆଲୋଚନା କରିଛନ୍ତି। ବ୍ୟାଙ୍କ ଗୁଡ଼ିକର କହିବାନୁଯାୟୀ, ଜିରୋ ବାଲାନ୍ସ ଯୋଗୁଁ ବ୍ୟାଙ୍କ ଗୁଡ଼ିକୁ ଜନଧନ ଖାତା ଚଳାଇ ରଖିବା କଷ୍ଟକର ହୋଇପଡ଼ିଛି । ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଜନଧନ ସ୍କିମ୍‌ରେ ଗୋଟିଏ ଆକାଉଣ୍ଟ ଚଳାଇ ରଖିବା ପାଇଁ ୧୪୦ ଟଙ୍କାରୁ ଅଧିକ ଅର୍ଥ ବ୍ୟାଙ୍କକୁ ବହନ କରିବାକୁ ପଡ଼ୁଛଛି ।

ଫଳରେ ପାଖାପାଖି ୬.୯୦ କୋଟି ଜିରୋ ବାଲାନ୍ସ ଜନଧନ ଖାତା ପରିଚାଳନା ବାବଦରେ କୋଟି କୋଟି ଟଙ୍କାର ବୋଝ ବହନ କରିବାକୁ ପଡ଼ୁଛି । ଜନଧନ ଖାତାରେ ଟଙ୍କା ଜମା ରଖିବା ପାଇଁ ସଚେତନତା ଅଭିଯାନ ଚଳାଇବା ପାଇଁ ସରକାର ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦେଇଥିଲେ। ବ୍ୟାଙ୍କ ଗୁଡ଼ିକ ମଧ୍ୟ ସଚେତନତା ଅଭିଯାନ ଚଳାଇଥିଲେ। କିନ୍ତୁ ଏହାର କିଛି ଲାଭ ମିଳିଲା ନାହିଁ । ଏକ ସରକାରୀ ବ୍ୟାଙ୍କର ଜଣେ ଉଚ୍ଚ ପଦାଧିକାରୀଙ୍କ କହିବାନୁଯାୟୀ, ଏବେ ବ୍ୟାଙ୍କ ଗୁଡ଼ିକର ଅବସ୍ଥା ଭଲ ନାହିଁ। ସେମାନେ ଅନାଦାୟ ଋଣ ଜନିତ ବୋଝରେ ବୁଡ଼ି ରହିଛନ୍ତି ।

ଏହି ସମୟରେ ପୁଣି ଜିରୋ ବାଲାନ୍ସ ଖାତା ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି । ତେବେ ସରକାର ଯଦି ଜିରୋ ବାଲାନ୍ସ ବାବଦରେ ହେଉଥିବା ଖର୍ଚ୍ଚ ବହନ କରନ୍ତି ତା’ହେଲେ ଏହି ଖାତାଗୁଡ଼ିକୁ ଚଳାଇ ରଖିବା ବ୍ୟାଙ୍କ ଗୁଡ଼ିକ ପାଇଁ କୌଣସି ଅସୁବିଧା ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ସବୁ ଲୋକଙ୍କୁ ଆର୍ଥିକ ସେବା ପରିସରଭୁକ୍ତ କରିବା ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ୨୦୧୪ ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରିଥିଲେ ।