ରୋଗ ନଥାଇ ଜବରଦସ୍ତି ମହିଳାଙ୍କ ଅସ୍ତ୍ରୋପଚାର କଲେ ଡାକ୍ତର । ସରକାରଙ୍କ ତନାଘନା

284

କନକ ବ୍ୟୁରୋ: ଜୟପୁରର ଏକ ହସ୍ପିଟାଲରୁ ଆସିଛି ଅଭାବନୀୟ ଖବର । ସାଧାରଣ ଜନତାଙ୍କ ସୁବିଧା ପାଇଁ ହୋଇଥିବା ଚିରଂଜୀବି ଯୋଜନାର ଅର୍ଥ ପାଇବାକୁ ବିକଳ ହେଉଥିବା ହସ୍ପିଟାଲର ଡାକ୍ତରମାନେ ନିକଟରେ ଅଜବ କାଣ୍ଡ ଘଟାଇଛନ୍ତି । ହିତାଧିକାରୀଙ୍କ ନାଁରେ ଥିବା ଏହି ଯୋଜନାର ଅର୍ଥ ପାଇବାକୁ ରୋଗ ନଜାଣି ରୋଗୀଙ୍କର ଜୋରଜବରଦସ୍ତି ଅସ୍ତ୍ରୋପଚାର କରିଛନ୍ତି । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।

ଜନତାଙ୍କ ହିତ ପାଇଁ ସରକାର ଜାରି କରୁଛନ୍ତି ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା । କିନ୍ତୁ କିଛି ହସ୍ପିଟାଲ ଏହାକୁ ନିଜ ରୋଜଗାରର ମାଧ୍ୟମ କରିସାରିଲେଣି । ଜୟପୁରର ରଜତ ହସ୍ପିଟାଲରୁ ଏପରି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଯେଉଁଠାରେ ଚିରଞ୍ଚୀବି ଯୋଜନାର ଅର୍ଥ ପାଇବାକୁ ରୋଗୀ ରୋଗ ନଜାଣି ଅପରେସନ୍ କରିଦେଇଛନ୍ତି । କାହାରି ଛାତିରେ ଯନ୍ତ୍ରଣା ହେଉଥିବାବେଳେ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରିଛନ୍ତି ଏଠିକାର ଡାକ୍ତର ।

ସୂଚନା ମୁତାବକ, ଷ୍ଟୋନ ସମସ୍ୟା ଥିବାରୁ ଚିକିତ୍ସା ପାଇଁ ଆସିଥିଲେ ଜଣେ ବ୍ୟକ୍ତି । ହେଲେ ତାଙ୍କ ସହ ଆସିଥିବା ତାଙ୍କ ପତ୍ନୀଙ୍କୁ ରୋଗୀ ସଜାଇଦେଲେ ଏଠିକାର ଡାକ୍ତର । କିଛି ରୋଗ ନଥାଇ ବି ଜୋରଜବରଦସ୍ତି ସ୍ୱାମୀଙ୍କ ସହ ମହିଳାଙ୍କର ଅସ୍ତ୍ରୋପଚାର କଲେ । ଫଳରେ ତାଙ୍କ ନାଁରେ ଥିବା ଚିରଞ୍ଜୀବି ଯୋଜନାର ଅର୍ଥ ପାଇପାରିବେ । ଏନେଇ ମହିଳାଙ୍କ ସମ୍ପର୍କୀୟ ଡାକ୍ତରଙ୍କ ନାଁରେ ମାମଲା ଦାଏର କରିଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏପରି ଅନେକ ଅଭିଯୋଗ ଉଠାଇଛନ୍ତି ଅନ୍ୟ ରୋଗୀ ଓ ତାଙ୍କ ସମ୍ପର୍କୀୟ ।

ଏହି ହସ୍ପିଟାଲ ବିରୋଧରେ ଆଉ ଏକ ଅଭିଯୋଗ ଆସିଛି । ଅଜମେର ବାସିନ୍ଦା ୭୦ ବର୍ଷିୟା ଭଉଁରୀ ଦେବୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଏହି ହସ୍ପିଟାଲକୁ ଆସିଥିଲେ । ହେଲେ ଡାକ୍ତର ଜୋର ଜବରଦସ୍ତି ତାଙ୍କର ଆଣଣ୍ଠୁ ଅପରେସନ୍ କରିଥିଲେ । ଭଉଁରୀ ଦେବୀ ହାତ ଯୋଡି ଡାକ୍ତରଙ୍କୁ କାକୁତି ମିନତି ହୋଇଥିଲେ । ହେଲେ କିଛି ଶୁଣିନଥିଲେ ଡାକ୍ତର । ଏପରି ଜଘନ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ରାଜସ୍ଥାନ ସରକାର ।