ଶ୍ରୀମନ୍ଦିରରେ ପୁଣି ହେବ କି ଶ୍ରୀଜିଉଙ୍କ ରଘୁନାଥ ବେଶ? ଖୋଲିବ କି ରତ୍ନଭଣ୍ଡାର?

77

କନକ ବ୍ୟୁରୋ: ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷଥର ପାଇଁ ହୋଇଥିଲା ରଘୁନାଥ ବେଶ । ଏହାରି ମଧ୍ୟରେ ୧୧୭ ବର୍ଷ ବିତିଗଲାଣି କିନ୍ତୁ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ହୋଇନାହିଁ । ବିଭିନ୍ନ ସମୟରେ ଏଥିପାଇଁ ଉଦ୍ୟମ ହୋଇଥିଲେ ବି ଏହା ଫଳପ୍ରଦ ହୋଇନାହିଁ ।

୧୯୮୩ ଓ ୨୦୨୨ରେ ଏହି ବେଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଏହା ହୋଇପାରିନଥିଲା । ସବୁଠାରୁ ବଡ କଥା ହେଲା, ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ପଡିବ । କିଛି ଦିନ ତଳେ ବିଧାନସଭାରେ ରତ୍ନ ଭଣ୍ଡାର କାହିଁକି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେହିପରି ବିରୋଧୀ ଦଳ ନେତା ହେବା ପରେ ପୁରୀ ଗସ୍ତରେ ଯାଇ ଜୟନାରାୟଣ ମିଶ୍ର ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି । ଶ୍ରୀମନ୍ଦିର ସେବାୟତ ମଧ୍ୟ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଆଭୁଷଣର ଆକଳନ କରିବାକୁ ଦାବି କରିଛନ୍ତି ।

ବାରମ୍ବାର ଦାବି ସତ୍ୱେ ରତ୍ନଭଣ୍ଡାର ଖୋଲାଯାଉନାହିଁ କି ଅଳଙ୍କାରର ଗଣନା ହେଉନାହିଁ । ତେଣୁ ରଘୁନାଥ ବେଶ ପାଇଁ ଆବଶ୍ୟକ ଅଳଙ୍କାର ଓ ବିଭିନ୍ନ ଦେବଦେବୀଙ୍କ ସୁବର୍ଣ୍ଣ ପ୍ରତିମା ରତ୍ନ ଭଣ୍ଡାରରେ ସୁରକ୍ଷିତ ଅଛି କି ନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାଧାରଣତଃ ଶ୍ରୀଜିଉଙ୍କ ରଘୁନାଥ ବେଶ ଏକ ବିଶେଷ ତିଥିରେ ହୋଇଥାଏ
-ବୈଶାଖ ମାସରେ ରାମାଭିଷେକ ଦିନ ପୁଷ୍ୟାନକ୍ଷତ୍ର ଓ କର୍କଟ ରାଶି ଏକ ସଂଗେ ପଡ଼ିଲେ ହୋଇଥାଏ ରଘୁନାଥ ବେଶ
-ହୀରା, ନୀଳା, ମୋତି, ମାଣିକ୍ୟ ଓ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୁଅନ୍ତି ମହାପ୍ରଭୁ
-ମହାପ୍ରଭୁ ନିଜେ ଶ୍ରୀରାମଚନ୍ଦ୍ର ଓ ଶ୍ରୀବଳଭଦ୍ର ଲକ୍ଷ୍ମଣ ବେଶରେ ଦର୍ଶନ ଦେଇଥାନ୍ତି
-ସୁନାର ଧନୁସର ଧାରଣ କରନ୍ତି ଶ୍ରୀଜିଉ
-ରତ୍ନ ସିଂହାସନରୁ କଳାହାଟ ଦ୍ୱାର ଭିତରେ ସୁବର୍ଣ୍ଣର ମୂର୍ତ୍ତି ପୂଜା ପାଇଥାଏ
-ଶ୍ରୀଜଗନ୍ନାଥଙ୍କ ନିକଟରେ ଲକ୍ଷ୍ମୀ ଠାକୁରାଣୀ ସୀତା ରୂପରେ ଉପବେଶନ କରିଥାନ୍ତି
-ସମ୍ମୁଖ ଭାଗରେ ସଙ୍କଟମୋଚନ ହନୁମାନ ଜୋଡହସ୍ତରେ ବସିଥାନ୍ତି
-ମା’ ସୁଭଦ୍ରା ଯୋଗମାୟା ରୂପରେ ବିଭିନ୍ନ ରତ୍ନ ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି

ତେବେ ଆସନ୍ତା ୬ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ରତ୍ନଭଣ୍ଡାର ଖୋଲିବା ଓ ରଘୁନାଥ ବେଶ ନେଇ ପ୍ରସ୍ତାବ ରଖିବେ କମିଟି ସଦସ୍ୟ । ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବି ହୋଇଥାଏ । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତ ଏହି ଦୁର୍ଲଭ ବେଶ ଦେଖିବାର ସୁଯୋଗ ପାଇବେ କି ନାହିଁ ସେ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି ।