ଆମେରିକାକୁ ସହଯୋଗ କଲା ପାକିସ୍ତାନ ! ଜୁଲାଇରେ ବାଇଡେନଙ୍କ ଆଗରେ ରଖାଯାଇଥିଲା ପ୍ଲାନ।

244

କନକ ବ୍ୟୁରୋ: ଅଲ କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନ । ୨୦୧୧ରେ ଏହି କୁଖ୍ୟାତ ଆତଙ୍କବାଦୀ ନିପାତ ହେବା ପରେ ଆୟମାନ ଅଲ- ଜୱାହିରି ସମ୍ଭାଳିଥିଲା ଦାୟିତ୍ୱ । ଏକଦା ଇଜିପ୍ଟର ସର୍ଜନ ଥିଲା ଜାୱାହିରି । କିନ୍ତୁ କାଳକ୍ରମେ ଓସାମା ବିନ ଲାଡେନର ସଂସ୍ପର୍ଶରେ ଆସିଥିଲା । ଆଉ ଅଲକାଏଦାରେ ସକ୍ରିୟ ହୋଇଥିଲା । ଆମେରିକା ବିରୋଧରେ ଅନେକ ଷଡଯନ୍ତ୍ର କରି ସଫଳ ହୋଇଥିବା ଏହି ଆତଙ୍କୀ ଥିଲା ଆମେରିକାର ମୋଷ୍ଟ ୱାେଂଟଡ । ଜୱାହିରି ବାବଦରେ ସୂଚନା ଦେଲେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଅଲକାଏଦାକୁ ସକ୍ରିୟ କରିବାକୁ ଚିନ୍ତା କରୁଥିଲା ଆୟମାନ ଅଲ-ଜାୱାହିରି । ଏହା ଜାଣିବା ପରେ ଆମେରିକା ଖୋଜୁଥିଲା ଜାୱାହିରିର ଠିକଣା ।

ଅଲ୍ କଏଦା ମୁଖ୍ୟ ଅଲ୍ ଜୱାହିରି ବିରୋଧରେ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍ ଜୱାହିରି । ୨ ମାସ ତଳେ ଜୱାହିରିକୁ ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ଏଥିପାଇଁ ଜୁଲାଇ ୧ ତାରିଖରେ ବାଇଡେନଙ୍କୁ ଅପରେସନର ପୂରା ପ୍ଲାନ୍ ଦିଆଯାଇଥିଲା । ଆଉ ମହିଳାଙ୍କୁ ତାଲିମ ଦେଇଥିଲା ଆମେରିକା । ଏମାନେ ଜାୱାହିରିର ଗତିବିଧି ଉପରେ ନଜର ରଖୁଥିଲେ । କାବୁଲରେ ଜୱାହିରି ଥିବା ନେଇ ସୂଚନା ମିଳିବା ପରେ ପାକିସ୍ତାନରେ ଥିବା ବେଲୁଚିସ୍ତାନର ସମସି ଏୟାରବେସକୁ ବ୍ୟବହାର କରିବାକୁ ଯୋଜନା କରିଥିଲା । କାବୁଲରେ ଜୱାହିରି ରହୁଥିବା ଏହି ଘରରୁ ସମସି ଏୟାରବେସର ଦୂରତା ୮୩୯ କିଲୋମିଟର ରହିଛି । ୨୦୧୧ ଯାଏ ଏହି ଏୟାରବେସକୁ ଆମେରିକା ବ୍ୟବାହର କରୁଥିଲା । ପରେ ପାକିସ୍ତାନ ନିଜ ନିୟନ୍ତ୍ରଣକୁ ନେଇଥିଲା ।

ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆର୍ଥିକ ସଙ୍କଟ ବେଳେ ପାକିସ୍ତାନ ଆମେରିକାକୁ ସହାୟତା ମାଗିଥିଲା । ଅନ୍ୟପଟେ ଆମେରିକା ତାର ଲକ୍ଷ ପୂରଣ କରିବାକୁ ଯୋଜନା କରୁଥିଲା । ଏପରି ସ୍ଥିତିରେ ପାକିସ୍ତାନ ସେନା ମୁଖ୍ୟ ବାଜୱାଙ୍କ ଇନପୁଟ ଆଧାରରେ ଆମେରିକା ନିଜ ଉଦ୍ଦେଶ୍ୟରେ ପୂରଣ ହୋଇଥିବା କୁହାଯାଉଛି ।