ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ନିରୀକ୍ଷଣ ପରେ ସ୍ପଷ୍ଟ ହେବ ଡିସ୍‌ଚାର୍ଜ ତାରିଖ

24

କନକ ବ୍ୟୁରୋ : ଚଳିତମାସ ଶେଷ ସପ୍ତାହରେ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ କରିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରାଯିବା ପରେ ହିଁ ଡିସ୍‌ଚାର୍ଜ ସମ୍ପର୍କିତ ପ୍ରକୃତ ତାରିଖ ଘୋଷଣା କରାଯିବ । ଏମ୍‌ସରୁ ଗଲା ପରେ ଦୁଇ ଶିଶୁ ତୁରନ୍ତ ଓଡ଼ିଶା ଫେରିବେ ନାହିଁ । ତେଣୁ ସେମାନଙ୍କୁ ଅନ୍ୟୂନ ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ।

ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ଡାକ୍ତରୀଦଳ ଅନୁଧ୍ୟାନ ଜାରି ରଖିଛନ୍ତି । ବଳିଆ ଆଖି ଖୋଲୁଛି ଓ ଗୋଡ଼ ହାତ ହଲାଉଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟ ସ୍ୱତଃପ୍ରବୃତ କରିପାରୁ ନାହିଁ । ଏବେ ବି ସେ ନଳୀ ଯୋଗେ ତରଳ ଖାଦ୍ୟ ଖାଉଛି । ତେଣୁ ଚଳିତମାସ ଶେଷ ସୁଦ୍ଧା ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରାଯିବା ପରେ ହିଁ ଡିସ୍‌ଚାର୍ଜ ତାରିଖ ସ୍ପଷ୍ଟ ହେବ । ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ କହିବା ମୁତାବକ, ଜଗା-ବଳିଆଙ୍କ ଦେଖାଶୁଣା କରିବା ପାଇଁ ଓଡ଼ିଶା ନିବାସରେ ଜଣେ ସେବିକାଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ତିନିମାସ କାଳ ଦିଲ୍ଲୀରେ ରହି ନିୟମିତ ଚେକ୍‌ଅପ୍‌ ପରେ ବଳିଆକୁ ସମ୍ଭବତଃ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବ । ଏ ସମ୍ପର୍କରେ ଦିଲ୍ଲୀ ଏମ୍‌ସ  କର୍ତ୍ତୃପକ୍ଷ ଭୁବନେଶ୍ୱର ଏମ୍‌ସ ସହ ମଧ୍ୟ ଆଲୋଚନା କରିଛନ୍ତି ।