ବିଦେଶୀ ଉପଗ୍ରହ ପ୍ରେରଣ ନେଇ ୪ ଦେଶ ସହିତ ଇସ୍ରୋର ଆଉ ଏକ ବୁଝାମଣା : ପିଏସଏଲଭି ରକେଟ ଜରିଆରେ ହେବ ୧୧୪୦ କୋଟି ଟଙ୍କାର ଉତକ୍ଷେପଣ

୨୦୨୧ରୁ ୨୦୨୩ ମଧ୍ୟରେ ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବ ଇସ୍ରୋ

93

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର , ଇସ୍ରୋ ଆଉ ଏକ ସଫଳତା ହାସଲ କରିଛି । ଇସ୍ରୋର ଏହି ସଫଳତା ବାଣିଜ୍ୟିକ ବୋଲି କୁହାଯାଇପାରିବ । ଇସ୍ରୋ ୪ ବିଦେଶୀ ରାଷ୍ଟ୍ର ସହିତ ଉପଗ୍ରହ ପ୍ରେରଣକୁ ନେଇ ୬ଟି ଚୁକ୍ତି କରିଛି । ଏହି ଚୁକ୍ତି ଜରିଆରେ ଇସ୍ରୋ ନିଜର ପିଏସଏଲଭି ରକେଟ୍ ଜରିଆରେ ବିଦେଶୀ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବ । ଏହି ଚୁକ୍ତି ଗୁଡିକର ମୋଟ୍ ମୂଲ୍ୟ ୧୧ ଶହ ୪୦ କୋଟିରୁ ଅଧିକ ରହିବ । ଏହି ଉପଗ୍ରହ ଗୁଡିକର ଉତକ୍ଷେପଣ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ହେବ ବୋଲି ଚୁକ୍ତି ରେ ଉଲ୍ଲେଖ ରହିଛି । ଏହାକୁ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତରରେ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଉତର ରଖିଛନ୍ତି ।

ଇସ୍ରୋର ନୂଆ ବାଣିଜ୍ୟିକ ଶାଖା ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ ଏହି ଚୁକ୍ତି କରିଛି । ବର୍ତମାନ ସୁଦ୍ଧା ଇସ୍ରୋ ୧୨୪ଟି ଉପଗ୍ରହକୁ ସଫଳତାର ସହ ମହାକାଶକୁ ପ୍ରେରଣ କରି ସାରିଛି । ଯାହା ମଧ୍ୟରୁ ୧୨ଟି ଉପଗ୍ରହ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ । ସେହିପରି ଇସ୍ରୋ ବର୍ତମାନ ସୁଦ୍ଧା ଭାରତ ବାଦ୍ ୩୪ଟି ବିଦେଶୀ ରାଷ୍ଟ୍ରର ଉପଗ୍ରହକୁ ମହାକାଶକୁ ମଧ୍ୟ ପ୍ରେରଣ କରିସାରିଛି । ୧୯୯୯ ମସିହାରୁ ଇସ୍ରୋର ଏହି ଧାରା ଆଜି ଯାଏଁ ଜାରି ରହିଛି । ଏହା ମଧ୍ୟରୁ ଆମେରିକାର ୨୨୬ଟି ଉପଗ୍ରହ, ଇଂଲଣ୍ଡର ୧୨ଟି, କାନାଡାର ୧୨ଟି, ୧୧ଟି ଜର୍ମାନୀର ଏବଂ ୮ଟି ସିଂଗାପୁର ଉପଗ୍ରହ ମହାକାଶକୁ ପ୍ରେରଣ କରିଛି । ବିଶେଷକରି କ୍ଷୁଦ୍ର ଏବଂ ମଧ୍ୟମଧରଣର ଉପଗ୍ରହ ମହାକାଶକୁ ପ୍ରେରଣ କରିବାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ହିଁ ସଂପର୍କ କରିଥାନ୍ତି ।