ଯୁଦ୍ଧ ଭିତରେ ବଡ ଖବର । ୩୦୦ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବ ଇସ୍ରାଏଲ , ଜାରି କଲା ତାଲିକା

74

କନକ ବ୍ୟୁରୋ : ଗତ ୬ ସପ୍ତାହ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହି କ୍ରମରେ ଏବେ ଉଭୟଙ୍କ ପକ୍ଷରୁ ୪ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଚୁକ୍ତି ପରେ ହମାସ ତରଫରୁ ବନ୍ଧକ ରଖାଯାଇଥିବା ୨୪୦ ଜଣ ଇସ୍ରାଲଲ ନାଗରିକଙ୍କ ମଧ୍ୟରୁ ୫୦ ଜଣଙ୍କୁ ମୁକ୍ତ କରିବ ବୋଲି ଚୁକ୍ତି କରିଛି । ଏହି କ୍ରମରେ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଟାଇମ୍ସ ଅଫ ଇସ୍ରାଏଲର ଖବର ମୁତାବକ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ଏନେଇ ଇସ୍ରାଏଲ ତରଫରୁ ତାଲିକା ଜାରି କରାଯାଇଛି । ଏହି ୩୦୦ ବନ୍ଦୀମାନଙ୍କ ମଧ୍ୟରୁ ୨୮୭ ଜଣ ବନ୍ଦୀଙ୍କର ବୟସ ୧୮ ବର୍ଷରୁ କମ୍ । ସେମାନେ ୱେଷ୍ଟବ୍ୟାଙ୍କ, ଓ ପୂର୍ବ ଜେରୁଜେଲମରେ ଦଙ୍ଗା କରିବା ଓ ପଥର ମାଡ କରିବା ଅଭିଯୋଗରେ ଗିରଫ ହୋଇଥିଲେ ।

ଇସ୍ରାଏଲ ତରଫରୁ ଯେଉଁ ୩୦୦ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବା ନେଇ ତାଲିକା ଜାରି କରାଯାଇଛି, ସେମାନଙ୍କ ମଧ୍ୟରୁ ୧୫୦ ମହିଳା ଓ ନାବାଳିକା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଏଭଳି ୧୩ ଜଣ ମହିଳା ରହିଛନ୍ତି ଯେଉଁମାନେ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଏସବୁ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମୀନ ନେତନ୍ୟାହୁ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି କି, ହମାସ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବା ପରେ ମଧ୍ୟ ହମାସକୁ ସମାପ୍ତ କରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ତାର ଅପରେସନ ଜାରି ରଖିବ ।