ଭାରତୀୟ ସେନା ଭଳି ସର୍ଜିକାଲ ଷ୍ଟ୍ରାଇକ କଲା ତୁର୍କୀ ସେନା । ନିହତ ହେଲା ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ।

167

କନକ ବ୍ୟୁରୋ : ଆଇଏସଆଇଏସ ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀ ନିହତ । ସିରିଆ ସୀମାରେ ପଶି ତୁର୍କୀ ସେନା ଆଇଏସଆଇଏସର ମୁଖ୍ୟକୁ ମାରିବାରେ ସଫଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତୁର୍କୀର ରାଷ୍ଟ୍ରପତି । ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନଙ୍କ କହିବା ଅନୁଯାୟୀ, ଅବୁ ହୁସେନ ଉପରେ ଦୀର୍ଘ ଦିନ ହେବ ଗୁଇନ୍ଦା ବିଭାଗ ନଜର ରଖିଥିଲା । ଆଉ ସୁଯୋଗ ମିଳିବା ମାତ୍ରେ ଆଇଏସଆଇଏସ ଅବୁ ହୁସେନକୁ ଏକ ସଫଳ ଅପରେସନ ଜରିଆରେ ନିପାତ କରାଯାଇଛି ।

ଅବୁ ହୁସେନ ଗତ ନଭେମ୍ବରରେ ଆଇଏସଆଇଏସର ମଙ୍ଗ ଧରିଥିଲେ । କିନ୍ତୁ ଆଇଏସଆଇଏସର ଦାୟିତ୍ୱ ନେବାର ୬ ମାସ ନ ବିତୁଣୁ ଅବୁ ହୁସେନକୁ ମାରିଛି ତୁର୍କୀ ସେନା । ଉତ୍ତର ସିରିଆର ଜନ୍ଦାରୀ ସହରରେ ଏହି ଅପରେସନ ହୋଇଛି । ଯେଉଁଠି ତୁର୍କୀ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀର ପ୍ରଭାବ ରହିଛି । ଏହି ସହର ଗତ ଫେବ୍ରୁଆରୀ ମାସରେ ଭୂମିକମ୍ପରେ ପ୍ରଭାବିତ ହୋଇଥିଲା । ଶନିବାର ଓ ରବିବାରର ମଧ୍ୟରାତ୍ରୀରେ ଅବୁ ହୁସେନକୁ ମାରିବାକୁ ଅପରେସନ ହୋଇଥିଲା । ଏହି ସମୟରେ ଘଣ୍ଟା ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା ଏବଂ ଶେଷରେ ଜୋରଦାର ବିସ୍ଫୋରଣ ହୋଇଥିଲା । ତୁର୍କୀ ସେନା ପୂରା ଅଞ୍ଚଳକୁ ଘେରି ରହିଥିଲେ । ଯେପରି କେହି ବାହାରକୁ ଯାଇପାରିବେନି କି ଭିତରକୁ କେହି ଆସି ପାରିବେନି ।

୨୦୧୪ ମସିହାରେ ଇରାକ ଓ ସିରିଆରେ ଆଇଏସଆଇଏସର ପ୍ରବଳ ପାର୍ଦୁଭାବ ରହିଥିଲା । ଉଭୟ ଦେଶରେ ଆଇଏସଆଇଏସ ରାଜୁତି କରୁଥିଲା । କିନ୍ତୁ ସେତେବେଳେ ଆମେରିକା, ଋଷ, ଇରାନ ଓ ଅନ୍ୟ ଦେଶର ସୈନ୍ୟବଳ ସାହାଯ୍ୟରେ ସିରିଆରେ ଆଇଏସଆଇଏସକୁ ବିରୋଧ କରୁଥିବା ବିଦ୍ରୋହୀ ଗୋଷ୍ଠୀ ଏମାନଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଥିଲା । କିନ୍ତୁ ଏବେ ବି ଅନେକ ଆଇଏସଆଇଏସ ସଦସ୍ୟ ରହିଛନ୍ତି ଯେଉଁମାନେ ମଝିରେ ମଝିରେ ଲୁଚିଛପି ବଡ ବଡ ଆକ୍ରମଣ କରୁଛନ୍ତି ।