ମୋ ଭଳି ଛକା କେହି ମାରିପାରିବେ ନାହିଁ ? ମ୍ୟାଚ ବିଜୟ ପରେ କାହିଁକି ଏମିତି କହିଲେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଇଶାନ କିଷାନ?

638

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ରବିବାର ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ସହଜ ବିଜୟ ହାସଲ କରିଛି । ଆଉ ଟିମ୍ ଇଣ୍ଡିଆର ଏହି ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି ।

ଇଶାନ କିଷାନ ନିଜ ହୋମଗ୍ରାଉଣ୍ଡ ରାଞ୍ଚିରେ ୮୪ ବଲରୁ ବିସ୍ଫୋରକ ୯୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ବିଶାଳ ଛକା ଓ ୪ଟି ଚୌକା ରହିଥିଲା । ତେବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଇଶାନ । ଘରୋଇ ଗ୍ରାଉଣ୍ଡରେ ଶତକ ମାରିବା ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଇଶାନ । କ୍ରିଜରେ ଜମିଥିଲେ ମଧ୍ୟ ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଇଶାନ । ଷ୍ଟ୍ରାଇକ ରୋଟେଟ କରି ଖେଳିଥିଲେ ହୁଏତ ଇଶାନଙ୍କର ଏହି ସ୍ୱପ୍ନ ପୂରା ହୋଇଥାନ୍ତା କିନ୍ତୁ ବଡ ସଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ ଇଶାନ । ଆଉ ଏନେଇ ମ୍ୟାଚ୍ ପରେ ଯେତେବେଳେ ଇଶାନଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ଷ୍ଟ୍ରାଇକ ରୋଟେଟ କରିବା କିଛି ଖେଳାଳୀଙ୍କର ଶକ୍ତି ହୋଇଥିବା ବେଳେ କିଛି ଖେଳାଳୀଙ୍କର ଛକା ମାରିବା ସବୁଠୁ ବଡ ସାର୍ମଥ୍ୟ । ମୋ ଭଳି ଲଗାତାର ଛକା ମାରିବା ଅନ୍ୟ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ବେଶ ସହଜରେ ମୁଁ ଛକା ମାରିଥାଏ । ଛକା ମାରିବା ମୋର ସାର୍ମଥ୍ୟ । ଯଦି ଛକା ମାରି ସ୍କୋରବୋର୍ଡରେ ରନ୍ ବଢିପାରୁଛି ତେବେ ଷ୍ଟ୍ରାଇକ ରୋଟେଟ କରିବା ବାବଦରେ କାହିଁକି ବା ଚିନ୍ତା କରିବି?

ଏହାସହ ଇଶାନ କହିଛନ୍ତି, କିଛି ଏମିତି ବି ମ୍ୟାଚ୍ ଆସିଥାଏ ଯେଉଁଠି ଷ୍ଟ୍ରାଇକ ରୋଟେଟ କରିବାର ଆବଶ୍ୟକତା ରହିଥାଏ । ଯେତେବେଳେ ଲଗାତାର ୱିକେଟ ପଡୁଥାଏ ସେତେବେଳେ ଷ୍ଟ୍ରାଇକ ରୋଟେଟ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସର ଆବଶ୍ୟକତା ପଡିଥାଏ । କିନ୍ତୁ ଯଦି ଆପଣ ଛକା ମାରିବାର ସାର୍ମଥ୍ୟ ରଖୁଛନ୍ତି ଏବଂ ସେହିଭଳି ବଲ ପଡୁଥାଏ ତେବେ ଷ୍ଟ୍ରାଇକ ରୋଟେଟ କରିବା ବଦଳରେ ଛକା କାହିଁକି ନ ମାରିବ? ଆଇପିଏଲରେ ମଧ୍ୟ ମୁଁ ୯୯ ରନରେ ଆଉଟ ହୋଇଛି । ଯେତେବେଳେ ୨ ବଲରେ ୫ ରନର ଆବଶ୍ୟକତା ଥିଲା ସେଭଳି ସମୟରେ ଶତକ ପାଇଁ ଯଦି ଷ୍ଟ୍ରାଇକ ରୋଟେଟ କରିବା କଥା ଚିନ୍ତା କରିବି ତେବେ ଦଳ ଜିତିବ କେମିତି? ଏହାଛଡା ଲଗାତାର ବଡ ସଟ ଖେଳି ନିଜ ଉପରୁ ଚାପ ହଟାଇବା ସହ ପ୍ରତିଦ୍ୱନ୍ଦ୍ୱୀ ଟିମ ଉପରେ ଚାପ ପକାଇବା ସବୁଠୁ ବଡ ଟାସ୍କ । ଯାହାକୁ ପୂରା କରିବାକୁ ସବୁବେଳେ ଚେଷ୍ଟା କରେ ବୋଲି କହିଛନ୍ତି ଇଶାନ ।

ମଙ୍ଗଳବାର ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ତେଣୁ ଏହି ମ୍ୟାଚରେ ମଧ୍ୟ ଦଳ ବିଜୟୀ ହେବା ସହ ସିରିଜ ହାତେଇବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଆଉ ଶେଷ ମ୍ୟାଚରେ ଇଶାନଙ୍କ ବ୍ୟାଟରୁ ବିସ୍ଫୋରକ ଶତକ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରଂଶସକଙ୍କ ସମେତ ସାଥୀ ଖେଳାଳୀ ଚାହାନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।