କିଏ କିଣିବ ଆଇପିଏଲ୍ ମିଡିଆ ରାଇଟ୍ସ? ରେସରେ ଅଛନ୍ତି ଏହି ୫ଟି କମ୍ପାନୀ । ପଢନ୍ତୁ, ପ୍ରତି ମ୍ୟାଚ୍ ପିଛା ଦେବାକୁ ପଡିବ କେତେ ଟଙ୍କା?

130

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲ୍ ସିଜିନ୍ ଶେଷ ହୋଇସାରିଛି । ଆଉ ଏବେ ସମସ୍ତଙ୍କର ନଜର ରହିଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଉପରେ । ହେଲେ ସବୁ କ୍ରିକେଟ୍ ଫ୍ୟାନ୍ସ ଯେତେବେଳେ ଏହି ଟି-୨୦ ସିିରିଜ୍ ଉପରେ ନଜର ରଖିଥିବେ, ସେତେବେଳେ ଆଇପିଏଲକୁ ନେଇ ଆସିବାକୁ ଯାଉଛି ଏକ ବଡ ଖବର । ଏହି ସମୟ ଭିତରେ ବିସିସିଆଇ ଆଇପିଏଲର ମିଡିଆ ରାଇଟ୍ସକୁ ନିଲାମ କରିବାକୁ ଯାଉଛି । ଯାହାର ସମୟ ସୀମା ଆସନ୍ତା ସିଜିନରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ରହିବ ।

ଆଇପିଏଲ୍ ମିଡିଆ ଟେଣ୍ଡର ବାହାରିସାରିଛି । ମିଳିଥିବା ସୂଚନା ମୁତାବକ, ଏବେ ମୋଟ ୫ଟି କମ୍ପାନୀ ଭିତରେ ମିଡିଆ ରାଇଟ୍ସ କିଣିବାକୁ ରେସ୍ ଆରମ୍ଭ ହୋଇଯାଇଛି । ତେବେ ପୂର୍ବଥର ଅପେକ୍ଷା ଏଥର ମିଡିଆ ରାଇଟ୍ସର ଦାମ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ପୂର୍ବରୁ ପ୍ରତିମ୍ୟାଚ୍ ପିଛା ବିସିସିଆଇକୁ ୪୯ କୋଟି ମିିଳୁଥିବାବେଳେ, ଆଗାମୀ ଦିନରେ ଏହାର ପରିମାଣ ୫୦ରୁ ୬୦ କୋଟି ଭିତରେ ହେବ ବୋଲି ଅନୁମାନ କରାଯାଉଛି ।

ବଢିଛି ଆଇପିଏଲ୍ ବ୍ରାଣ୍ଡ ଭାଲ୍ୟୁ!

ପୂର୍ବଥର ଯେତେବେଳେ ଆଇପିଏଲର ମିଡିଆ ରାଇଟ୍ସକୁ ନିଲାମ କରାଯାଇଥିଲା ସେତେବେଳେ ୨୦୧୮ରୁ ୨୦୨୨ ଭିତରେ ବିସିସିଆଇକୁ ମୋଟ ୧୬ ହଜାର ୩୦୦ କୋଟି ଟଙ୍କା ମିଳିଥିଲା । ହେଲେ ପୂର୍ବାପେକ୍ଷା ଏବେ ଟୁର୍ଣ୍ଣାମେଣ୍ଟରେ ଦଳ ସଂଖ୍ୟା ଓ ମ୍ୟାଚ୍ ସଂଖ୍ୟା ବୃଦ୍ଧି ଘଟିଛି । ତେଣୁ ଆଇପିଏଲ୍ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି । ତେଣୁ ଏବେ ବାୟକମ୍, ଡିଜନୀ-ହଟଷ୍ଟାର, ସୋନୀ, ଜୀ ଏବଂ ଆମାଜନ୍ ଭଳି କମ୍ପାନୀ ଆଇପିଏଲ୍ ମିଡିଆ ରାଇଟ୍ସ କିଣିବାକୁ ଆଗଭର ହେଉଥିବା ଦେଖିବାକୁ ମିଳିଛି ।

ତେବେ ଏଥର ଆଇପିଏଲ୍ କର୍ତ୍ତୃପକ୍ଷ ଟୁର୍ଣ୍ଣାମେଣ୍ଟର ଡିଜିଟାଲ ଟେଲିକାଷ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଟିଭି ରାଇଟ୍ସ ସହ ଡିଜିଟାଲ ରାଇଟ୍ସ, ପ୍ଲେ ଅଫ୍ ମ୍ୟାଚ୍ ପାଇଁ ରାଇଟ୍ସ ଓ ବିଦେଶରେ ମ୍ୟାଚର ପ୍ରସାରଣ ନେଇ ରାଇଟ୍ସ ନିଲାମ ହେବାକୁ ଯାଉଛି । ତେଣୁ ଚାରୋଟି ଅଲଗା ଅଲଗା ସେଟରେ ବେସ୍ ପ୍ରାଇସ୍ ଧାର୍ଯ୍ୟ କରାଯାଇଛି ।

ଚଳିତବର୍ଷ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଟିଭି ରେଟିଂ କମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆଇପିଏଲକୁ ଏଥର ବୋରିଂ ଆଖ୍ୟା ମଧ୍ୟ ଦିଆଯାଇଥିଲା । ଏହାସତ୍ତେ୍ୱ ମଧ୍ୟ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ କମ୍ ହୋଇନି । ତେଣୁ ଆଗାମୀ ଦିନରେ ଆଇପିଏଲ୍ ମିଡିଆ ରାଇଟ୍ସ କିଏ ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।