ଆଜି ଆସିବ ଅନ୍ତରୀଣ ବଜେଟ୍ ! ମୋଦି ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପନ କରିବେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ

117

କନକ ବ୍ୟୁରୋ : ଆଜି ସଂସଦରେ ଆସିବ ବଜେଟ୍  । ଏହା ଚଳିତ ମୋଦି ସରକାରଙ୍କର ଶେଷ ବଜେଟ୍  । ତେବେ ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ୍  ନହୋଇ ଏକ ଲେଖାନୁଦନାନ ହେବ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ପିୟୁଷ ଗୋଏଲ ଏହାକୁ ଉପସ୍ଥାପନ କରିବେ । କାମଚଳା ବଜେଟ୍ ହୋଇଥିଲେ ବି ନିର୍ବାଚନ ବର୍ଷ ହୋଇଥିବାରୁ ଏ ନେଇ ଦେଶବାସୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କାରଣ ଆଗକୁ ନିର୍ବାଚନ ଆସୁଥିବାରୁ ଲୋକଙ୍କୁ ଖୁସି କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା ହେବା ଆଶା କରାଯାଉଛି ।

କୁହାଯାଉଛି ମୋଦି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଜ ହେଉଛି ନିଯୁକ୍ତି ସୃଷ୍ଟି ଏବଂ କୃଷକଙ୍କୁ ଖୁସି କରିବା  । ସେହିପରି ମଧ୍ୟବତ୍ତଙ୍କୁ ମନ ଜିତିବାକୁ ଆୟକର ଛାଡ ସୀମା ବୃଦ୍ଧି କରିପାରନ୍ତି ସରକାର । ଗୋଟିଏ ପଟେ ବିମୁଦ୍ରାକରଣ, ଜିଏସଟି, ନିଯୁକ୍ତି ହ୍ରାସ ଆଦି ସମସ୍ୟା ସହ ଲଢ଼ୁଛନ୍ତି  ସରକାର । ଅନ୍ୟପଟେ କୃଷି ଋଣ ଛାଡ଼ କରିବା ସହ ସର୍ବନିମ୍ନ ଆୟ ଗ୍ୟାରେଂଟି ଭଳି ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ପ୍ରଭାବିତ କରିଚାଲିଛି କଂଗ୍ରେସ । ତେଣୁ ଅର୍ଥନୀତି ଦୃଷ୍ଟିକୋଣରୁ ନୁହେଁ ଲୋକଙ୍କୁ ଖୁସି କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର ।

କେଉଁ କ୍ଷେତ୍ର ଉପରେ ସରକାରଙ୍କ ଫୋକସ୍ ରହିପାରେ ?

କୃଷି ଋଣ ଛାଡ଼ ଘୋଷଣା କରି ତିନିଟି ରାଜ୍ୟକୁ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ । ତେଣୁ ଚାଷୀଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର । ଋଣ ଛାଡ଼, ବିନା ସୁଧରେ କୃଷି ଋଣ, ଫସଲ ବୀମା ପ୍ରିମିୟମ ଛାଡ଼ ଭଳି ଲୋଭନୀୟ ପ୍ରସ୍ତାବ ଆସିପାରେ । ସେହିପରି ଆସନ୍ତା ଆର୍ଥକ ବର୍ଷରେ ୭୦ ହଜାର କୋଟିରୁ ଅଧିକ ପୁଂଜି ପ୍ରତ୍ୟାହାର କରି ଲୋକାଭିମୁଖୀ ଯୋଜନା ପାଇଁ ଅର୍ଥ ଭରଣା କରିପାରନ୍ତି ମୋଦୀ ସରକାର ।

ଆୟୁଷ୍ମାନ ଭାରତ ଯୋଜନାରେ ବିପୁଳ ବ୍ୟୟ ଆବଶ୍ୟକ ହେଉଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟବରାଦ ହୋଇପାରେ । ମଧ୍ୟବିତ୍ତଙ୍କୁ ନିଜ ଆଡ଼କୁ ନେବାକୁ ଆୟକର ଛାଡ ସୀମା ବୃଦ୍ଧି ହୋଇପାରେ । ସେହିପରି ଶିଳ୍ପପତିଙ୍କୁ ଖୁସି କରିବା ପାଇଁ କର୍ପୋରେଟ୍ ଟ୍ୟାକ୍ସରେ ମଧ୍ୟ କୋହଳ କରାଯାଇପାରେ । ବିଭିନ୍ନ ସମାଗ୍ରୀ ଉପରେ ଜିଏସଟି ହ୍ରାସ କରିପାରନ୍ତି ସରକାର । ମୋଦି ସରକାରଙ୍କୁ ପାଇଁ ବଡ଼ ଚ୍ୟାଲେଜ ହେଉଛି ନିଯୁକ୍ତି ସୃଷ୍ଟି ଏବଂ କୃଷକଙ୍କୁ ଖୁସି କରିବା । ତେଣୁ ବଜେଟରେ ଏହିସବୁ ଦିଗକୁ ଗୁରୁତ୍ୱ ଦିଆଯାଇପାରେ ।