ନର୍ସିଂହୋମରେ ସାଙ୍ଘାତିକ ଖେଳ ! ଟ୍ୟୁମର ରୋଗୀକୁ ଅଧା ଅପରେସନରୁ ଛାଡ଼ିଦେଲେ, ଛଟପଟ ହୋଇ ମହିଳାଙ୍କ ଜୀବନ ଗଲା

175

କନକ ବ୍ୟୁରୋ : ଟ୍ୟୁମର ଅପରେସନ ପାଇଁ ବହୁ ଆଶା ଭରସା ନେଇ ନର୍ସିିଂହୋମ୍‌କୁ ଯାଇଥିଲେ ମହିଳା । ଅପରେସନ ଥିଏଟର ବାହାରେ ସ୍ବାମୀକୁ ଜଗାଇ ଡାକ୍ତରଙ୍କ ସହ ଯାଇଥିଲେ ଓଟିକୁ । କିନ୍ତୁ ଅପରେସନ୍‌ ବେଳେ କ’ଣ ଘଟିଲା କେଜାଣି ଓଟି ଭିତରେ ହିଁ ଛଟପଟ ହେଲେ । ଜୀବନ ଛାଡ଼ିଗଲା ଭଳି ଯମ ଯନ୍ତ୍ରଣା ଭୋଗିଲେ । ପରିବାର ଲୋକ କିଛି ଜାଣିବା ପୂର୍ବରୁ ରାତି ଅଧରେ ତାଙ୍କୁ ଭୁବନେଶ୍ବର ପଠାଇ ଦିଆଗଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ରୋଗୀଙ୍କ ଜୀବନ ।

ମୃତ ମହିଳାଙ୍କ ଘର ଅନୁଗୁଳ ସହର ଉପକଣ୍ଠ ସୁସୁଡ଼ା ଗାଁରେ । ସୋମବାର ମଧ୍ୟାହ୍ନରେ ସ୍ବାମୀଙ୍କୁ ନେଇ ମହିଳା ଜଣକ ଅନୁଗୁଳର ଏକ ନର୍ସିଂହୋମ୍‌କୁ ଯାଇଥିଲେ । ଅପରାହ୍‌ଣ ପ୍ରାୟ ୫ଟାରେ ବାହାରେ ସ୍ବାମୀ ଜଗିଥିବା ବେଳେ ମହିଳାଙ୍କୁ ଓଟିକୁ ନିଆଯାଇଥିଲା । ଦୀର୍ଘ ୬ଘଣ୍ଟା କାଳ ଓଟିରେ ରହିବା ପରେ ରାତି ପ୍ରାୟ ୧୧ଟା ବେଳେ ଡାକ୍ତର ଓଟିରୁ ପଦାକୁ ଆସିଥିଲେ । ମହିଳାଙ୍କର ହାପର ବେମାର ଥିଲା କି ? ବୋଲି ସ୍ବାମୀଙ୍କୁ ପଚାରି ଥିଲେ । ମହିଳାଙ୍କ ସ୍ବାମୀ ହାପର ବେମାର କଥା ସଫା ସଫା ମନା କରିବାରୁ ତାଙ୍କୁ ଓଟି ଭିତରକୁ ନେଇ ଡାକ୍ତର ସ୍ତ୍ରୀର ଅବସ୍ଥା ଦେଖାଇ ଥିଲେ । ସେତେବେଳକୁ ମହିଳା ଜଣକ ଛଟପଟ ହେଉଥିଲେ । ମହିଳାଙ୍କ ପରିବାର ଗରିବ ଓ ଅଶିକ୍ଷିତ ।

ଘଟଣା ପ୍ରଘଟ ହେଲେ ପରିସ୍ଥିତି ଭୟଙ୍କର ହୋଇପାରେ । ତେଣୁ ରାତି ପାହିବା ପୂର୍ବରୁ ମହିଳାଙ୍କୁ ଅନୁଗୁଳରୁ ଅନ୍ୟତ୍ର ପଠାଇବାକୁ ଯୋଜନା ହୋଇଥିଲା । ତା’ ପୂର୍ବରୁ ଡାକ୍ତର ତାଙ୍କୁ ଭୁଲାଇବାକୁ ଚେଷ୍ଟା କରିଥିଲେ । ଭୁବନେଶ୍ବରରେ ମହିଳାଙ୍କ ଉନ୍ନତ ଚିକିତ୍ସା କରାଯିବ । ଆଇସିୟୁରେ ଭର୍ତ୍ତି ହୋଇଗଲେ ସବୁ ଠିକ୍ ହୋଇଯିବ କହି ଗାଡ଼ି ଯୋଗାଡ଼ କରିବା ପାଇଁ ଡାକ୍ତର କହିଥିଲେ । କିନ୍ତୁ ମହିଳାଙ୍କ ସ୍ବାମୀ ରାତି ୧୨ଟା ବେଳେ ଗାଡ଼ି ଯୋଗାଡ଼ କରି ଭୁବନେଶ୍ବର ନେବା ପାଇଁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଡାକ୍ତର ନିଜେ ଗାଡ଼ି ଯୋଗାଡ଼ କରିଥିଲେ । ସକାଳ ପାହିବା ପୂର୍ବରୁ ରାତାରାତି ମହିଳାଙ୍କୁ ଡାକ୍ତରଙ୍କ ଗାଡ଼ିରେ ଅନୁଗୁଳରୁ ବିଦା କରି ଭୁବନେଶ୍ବରକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ମହିଳା ଜୀବନ ଛାଡ଼ିଗଲା ।ଓଟିକୁ ଯିବା ପୂର୍ବରୁ ମହିଳାଙ୍କ ଅବସ୍ଥା ମୃତ୍ୟୁ ଭଳି ପରିସ୍ଥିତି ନ ଥିଲା। କିନ୍ତୁ ଅପରେସନ୍‌ ପରେ କ’ଣ ହେଲା ଯେ ମହିଳାଙ୍କୁ ଛଟପଟ ହେବାକୁ ପଡ଼ିଥିଲା , ସେନେଇ ପରିବାର ଲୋକେ ଏବେ ବି ଅନ୍ଧାରରେ ଅଛନ୍ତି ।