‘ହିପ୍ପୋକ୍ରାଟିକ୍’ ଶପଥ ବଦଳରେ ‘ଚରକ’ ଶପଥ । ଭାରତରେ ‘ଚରକ’ ଶପଥ ନେବେ ମେଡିକାଲ ଛାତ୍ରଛାତ୍ରୀ

168

କନକ ବ୍ୟୁରୋ: ଏମବିବିଏସ୍ ଶିକ୍ଷାବର୍ଷ ଆରମ୍ଭରେ ସେବା ଓ ଚିକିତ୍ସା ପାଇଁ ଶପଥ ନେଇଥାନ୍ତି ମେଡିକାଲ ଛାତ୍ରଛାତ୍ରୀ । ଫାଦର ଅଫ୍ ମେଡିସିନ୍ ହିପ୍ପୋକ୍ରାଟଙ୍କ ନାଁ ଅନୁସାରେ ଏହାକୁ ହିପ୍ପୋକ୍ରାଟିକ୍ ଶପଥ କୁହାଯାଏ । ତେବେ ଭାରତରେ ବର୍ଷ ବର୍ଷର ଏହି ପରମ୍ପରା ବଦଳିବ । ହିପ୍ପୋକ୍ରାଟିକ୍ ଶପଥ ବଦଳରେ ଚରକ ଶପଥ ନେବେ ଛାତ୍ରଛାତ୍ରୀ । ହଜାର ହଜାର ବର୍ଷର ପୁରୁଣା ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ଆୟୁର୍ବେଦରେ ମହିର୍ଷି ଚରକଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏପରି ନିଷ୍ପତ୍ତି ନେଇଛି ନାସନାଲ୍ ମେଡିକାଲ କମିସନ୍ ।

ସାରା ବିଶ୍ୱରେ ମେଡିକାଲ ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ସେବା ପାଇଁ ଶପଥ ନେଇଥାନ୍ତି । ଶହେରୁ ଅଧିକ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି । ଫାଦର୍ ଅଫ୍ ମେଡିସିନ୍, ଗ୍ରୀକ୍ ଚିକିତ୍ସକ ହିପ୍ପୋକ୍ରାଟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଶପଥକୁ ହିପ୍ପୋକ୍ରାଟିକ୍ ଶପଥ କୁହାଯାଏ । ତେବେ ଏହି ପରମ୍ପରା ଭାରତରେ ବଦଳିବାକୁ ଯାଉଛି । ନୂଆ ଶିକ୍ଷାବର୍ଷରେ ‘ହିପ୍ପୋକ୍ରାଟିକ୍’ ଶପଥ ବଦଳରେ ମହର୍ଷି ଚରକ ଶପଥ ନେବେ । ମହର୍ଷି ଚରକ ହେଉଛନ୍ତି, ଭାରତୀୟ ପୁରାତନ ଚିକିତ୍ସା ଶାସ୍ତ୍ରର ପଥ ପ୍ରଦର୍ଶକ । ଆୟୁର୍ବେଦ ପାଇଁ ତାଙ୍କର ସବୁଠୁ ବଡ଼ ଅବଦାନ ରହିଛି । ଚରକ ସଂହିତା, ଆୟୁର୍ବେଦର ଅମୂଲ୍ୟ ସମ୍ପତ୍ତି ବୋଲି କୁହାଯାଏ । ତେବେ ନାସନାଲ୍ ମେଡିକାଲ କମିସନ୍ ନିଷ୍ପତ୍ତି ନେଇଛି, ଫେବ୍ରୁଆରୀ ୧୪ ତାରିଖରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରେ ମେଡିକାଲ ଛାତ୍ରଛାତ୍ରୀମାନେ ‘ଚରକ’ ଶପଥ ନେବେ ।

ହିପ୍ପୋକ୍ରାଟିକ୍ ଶପଥରେ ନୀତି ଓ ନୈତିକତାର ସହ ଚିକିତ୍ସା କରିବାକୁ କୁହାଯାଏ । କୌଣସି ପ୍ରକାର ପାତର ଅନ୍ତର ନକରି ସମସ୍ତ ରୋଗୀଙ୍କୁ ଚିକତ୍ସା କରିବା ପାଇଁ ଶପଥ ନେଇଥାନ୍ତି ମେଡିକାଲ୍ ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ ବୁଦ୍ଧି ବିବେକ ପ୍ରୟୋଗ କରିବା ସହ ରୋଗୀଙ୍କ ଗୋପନୀୟତାକୁ ସମ୍ମାନ ଦେଇ ଚିକିତ୍ସା କରିବାକୁ ଶପଥ ନିଆଯାଏ । ଚରକ ଶପଥରେ କ’ଣ ଶପଥ ନେବେ ଏ ନେଇ ନାସନାଲ୍ ମେଡିକାଲ କମିସନଙ୍କ ୱେବସାଇଟ୍ରେ କିଛି ଉଲ୍ଲେଖ ହୋଇନାହିଁ । ତେବେ ଚରକ ସଂହିତା ଅନୁସାରେ ରୋଗ ନିରୂପଣ ଓ ଚିକିତ୍ସା ପାଇଁ ଦକ୍ଷତାର ସଂପୂର୍ଣ୍ଣ ବିନିଯୋଗ କରିବା ଏବଂ ରୋଗୀ ଓ ତାଙ୍କ ପରିବାରର ଗୋପନୀୟତା ରଖିବାକୁ କୁହାଯାଇଛି ।

ଏହି ନିଷ୍ପତିକୁ ସ୍ୱାଗତ ଜଣାଇ ଦେଶର ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟି କହିଛନ୍ତି, ଭାରତର ଚିକିତ୍ସା ଶାସ୍ତ୍ର ହଜାର ହଜାର ବର୍ଷ ପୁରୁଣା । ଏଥିପାଇଁ ସମସ୍ତେ ଗର୍ବ ଅନୁଭବ କରିବା ଉଚିତ୍ । ସେପେଟ ଏହି ନିଷ୍ପତି ବିରୋଧରେ ମଧ୍ୟ ମତପ୍ରକାଶ ପାଇଛି । ଆରଏସଏସ ପ୍ରଭାବ ଏପରି କରାଯାଉଥିବା ଅଭିଯୋଗ ହୋଇଛି ।