୨ ମାସ ପରେ ମିଳିଲା ଉନ୍ନାଓ ନିଖୋଜ ଯୁବତୀଙ୍କ ମୃତଦେହ: ସପାର ପୂର୍ବ ମନ୍ତ୍ରୀଙ୍କ ଫାର୍ମହାଉସରୁ ଉଦ୍ଧାର

210

କନକ ବ୍ୟୁରୋ: ଉତରପ୍ରଦେଶ ଉନ୍ନାଓରୁ ୨ ମାସ ପୁର୍ବରୁ ନିଖୋଜ ଥିବା ଦଳିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅନେକ ଦିନ ଧରି ଛାନବିନ ପରେ ପୋଲିସକୁ ନିଖୋଜ ଯୁବତୀଙ୍କ ମୃତଦେହ ମିଳିଛି । ଆଉ ଏହି ମୃତୁ ଦେହ ସପା ସରକାର ସମୟରେ ମନ୍ତ୍ରୀ ଥିବା ଫତେହ ବାହାଦୁର ଫାର୍ମ ହାଉସରୁ ଉଦ୍ଧାର ହୋଇଛି ।

ଉତରପ୍ରଦେଶ ଉନ୍ନାଓରେ ୨୨ ବର୍ଷୀୟ ଯୁବତୀଙ୍କ ନିଖୋଜ ହେବାର ୨ ମାସ ପରେ ମିଳିଛି ମୃତ ଦେହ । ସପାର ପୂର୍ବତନ ମନ୍ତ୍ରୀଙ୍କ ଫାର୍ମ ହାଉସ୍ରୁ ୨୨ ବର୍ଷୀୟ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନିଖୋଜ ହେବାର ୬୮ ଦିନ ପରେ ପୋଲିସ ଏହାକୁ ନେଇ କରିଛି ବଡ ଖୁଲାସା । ପୋଲିସର ସୂଚନା ଅନୁସାରେ, ପୋଷ୍ଟମର୍ଟମ ରିପୋର୍ଟରେ, ନିଖୋଜ ଯୁବତୀଙ୍କ ତଂଟି ଚିପି ହତ୍ୟା କରାଯାଇଛି । ଏତେ ଜୋର୍ରେ ତଂଟି ଚିପା ଯାଇଛି ଯେ, ତଂଟିର ହାଡ ମଧ୍ୟ ଭାଙ୍ଗି ଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି । ରଡ୍ ମାରି ଯୁବତୀଙ୍କ ମୁଣ୍ଡ ଫଟାଯାଇଛି । ଉନ୍ନାଓର ଯୁବତୀଙ୍କ ସହ ହୋଇଥିବା ବର୍ବରତା ପରେ ପୋଲିସ କାହିଁକି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରି ନଥିଲା ସେଥିପାଇଁ ଜଣେ ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ।

ନିଖୋଜ ଯୁବତୀଙ୍କ ଶବକୁ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ଦିଆଯାଇଛି । ଏହାସହ ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଛି । ଦୁଇ ମାସପରେ ଯୁବତିଙ୍କ ମୃତ ଦେହ ମିଳିବା ଘଟଣା ରାଜ୍ୟରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣଙ୍କ ନିଖୋଜ ହେବା ଦିନ ହିଁ ଯୁବତୀଙ୍କ ମାଁ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଘଟଣାରେ କୌଣସି ପ୍ରକାର ସହାୟତା କରିନଥିବା ଯୁବତୀଙ୍କ ମାଁ ଅଭିଯୋଗ କରିଛନ୍ତି । ପୁଲିସ ଯଦି ଠିକ ସମୟରେ ଯାଂଚ ଆରମ୍ଭ କରିଥାନ୍ତା ମୋ ଝିଅ ଆଜି ଜିବିତ ଥାନ୍ତା ବୋଲି ଯୁବତିଙ୍କ ମାଁ କହିଛନ୍ତି । ଘଟଣାକୁ ନେଇ ପୁଲିସ ଯାଂଚ ଆରମ୍ଭ କରିଛି । ସେପଟେ ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇ ଯାଇଛି । ଉନ୍ନାଓ ଯୁବତୀଙ୍କୁ କାହିଁ ଓ କେମିତି କରାଯାଇଛି ହତ୍ୟା । ଏନେଇ ଅଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।