ଧିମଉଛି ଅର୍ଥନୀତି ! ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ଓଡ଼ିଶାର ଆଇଟି କ୍ଷେତ୍ରରେ ବି ପଡୁଛି ପ୍ରଭାବ, ନିଯୁକ୍ତି କମୁଛି, ବଢ଼ୁଛି ଛଟେଇ ଆଶଙ୍କା । 

485

କନକ ବ୍ୟୁରୋ : ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ଓଡିଶାର ଆଇଟି ସେକ୍ଟର ଉପରେ ପଡିଛି । ଦେଶର ଏକ ପ୍ରମୁଖ ଆଇଟି କମ୍ପାନୀର ଓଡିଶା ଶାଖା ଅଧିକାରୀ କହିଛନ୍ତି, ନୂଆ ନିଯୁକ୍ତି ପାଇଁ ଏବେ ସୁଯୋଗ ନାହିଁ । ନିଯୁକ୍ତି ଏକପ୍ରକାର ବନ୍ଦ ହୋଇଯାଇଛି ବୋଲି ଏହି ଅଧିକାରୀ ଜଣକ କହିଛନ୍ତି । ଏହାଛଡା ଆଇଟି ସେକ୍ଟରରେ ଚାକିରି ବଂଚାଇବାକୁ ହେଲେ ଏବେ କର୍ମଚାରୀଙ୍କୁ କମ୍ପାନୀର ଆବଶ୍ୟକତା ଅନୁସାରେ ବିଭିନ୍ନ କ୍ଷେତ୍ରରେ କାମ କରିବାକୁ ପଡିବ ।

ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଓଡିଶାରେ ଆଇଟି ଶିଳ୍ପ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତର ଏକ ପ୍ରମୁଖ ଆଇଟି କମ୍ପାନୀର ନିଯୁକ୍ତି ବିଭାଗର ଓଡିଶା ମୁଖ୍ୟ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ନେଇ ମୁହଁ ଖୋଲିଛନ୍ତି ।

ଆଇଟି କ୍ଷେତ୍ରରେ ନିଯୁକ୍ତି ଏବେ ଏକ ପ୍ରକାର ଅଟକି ଯାଇଛି । ନୂଆ ନିଯୁକ୍ତିର ସମ୍ଭାବନା ଉପରେ ପ୍ରାୟ ପୂର୍ଣ୍ଣଛେଦ ଲାଗିଯାଇଛି । ଆଉ ଏକ ନୂଆ ଟ୍ରେଣ୍ଡ ମଧ୍ୟ ସାମ୍ନାକୁ ଆସିଛି । ଆଇଟି କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଏବେ ମଲ୍ଟି ସ୍କିଲଡ୍ ହେବାକୁ ପଡିବ । ଅର୍ଥାତ୍ କେବଳ ଗୋଟିଏ କାମ ନୁହେଁ, ଆବଶ୍ୟକତା ଅନୂଯାୟୀ ବିଭିନ୍ନ କ୍ଷେତ୍ରରେ କାମ କରି ଦପ୍ତରର ଚାହିଦା ପୂରଣ କରିବାକୁ ପଡିବ ।

ଭାରତର ଆଇଟି କମ୍ପାନୀ ଗୁଡିକ ମୁଖ୍ୟତ ରପ୍ତାନୀ ସେବା ପ୍ରଦାନ କରିଥାନ୍ତି । ସେଥିପାଇଁ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ଆଇଟି କମ୍ପାନୀରେ ସବୁଠାରୁ ଆଗ ଦେଖିବାକୁ ମିଳିଛି । ରାଜ୍ୟ ତଥା ଦେଶର ଅର୍ଥନୀତିକୁ ଆଇଟିର ଅବଦାନ ଧିରେ ଧିରେ ବଢିଚାଲିଛି । ଗତ ୧୦ ବର୍ଷ ମଧ୍ୟରେ ଘରୋଇ ଉତ୍ପାଦକୁ ଏହା ୬ରୁ ୭ ଗୁଣା ବୃଦ୍ଧି ପାଇଛି । ଏବେ ଏହି ଶିଳ୍ପରେ ମାନ୍ଦାବସ୍ଥାର ସ୍ଥିତି କଣ ପ୍ରଭାବ ପକାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।