ରାହୁଲଙ୍କ ମନ୍ତବ୍ୟକୁ ନେଇ କାଶ୍ମୀର ପ୍ରସଙ୍ଗରେ ଜାତିସଂଘକୁ ଚିଠି ଲେଖିଲା ପାକିସ୍ତାନ । ରାହୁଲ କହିଲେ, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା, ଦଖଲ ଦେବାର ଅଧିକାର କାହାର ନାହିଁ ।

679

କନକ ବ୍ୟୁରୋ : ପାକିସ୍ତାନ ଖେଳିଲା ରାହୁଲ କାର୍ଡ । ଜାମ୍ମୁକାଶ୍ମୀର ଉପରେ ମିଳିତ ଜାତିସଂଘକୁ ପାକିସ୍ତାନ ଲେଖିଥିବା ଏକ ଚିଠିରେ ରାହୁଲ ଗାନ୍ଧିଙ୍କ କଥା ଉଲ୍ଲେଖ କରାଯାଇଛି । ଏହି ଚିଠିରେ କୁହାଯାଇଛି, ଭାରତର ଏକ ପ୍ରମୁଖ ରାଜନୈତିକ ଦଳର ନେତା ରାହୁଲ ଗାନ୍ଧି କହିଛନ୍ତି, କାଶ୍ମୀର ଅଶାନ୍ତ ରହିଛି ଓ ଏଠାରେ ଲୋକ ପ୍ରାଣ ହରାଉଛନ୍ତି । ଏହି ଘଟଣା ପରେ ଆଜି ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର, ଏଥିରେ ପାକିସ୍ତାନ କିମ୍ବା ଅନ୍ୟ ଦେଶ ମୁଣ୍ଡ ଖେଳାଇବା ଉଚିତ ନୁହେଁ । ସେପଟେ ବିଜେପି କହିଛି, ରାହୁଲଙ୍କ ମନ୍ତବ୍ୟ, ପାକିସ୍ତାନ ପାଇଁ ସହାୟକ ହୋଇଛି ।

ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି, ସରକାରଙ୍କ କେତେକ ନିଷ୍ପତିକୁ ନେଇ ତାଙ୍କର ଅସହମତି ରହିଛି । କିନ୍ତୁ ଜମ୍ମୁକାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା, ଏବଂ ଏହି ପ୍ରସଙ୍ଗରେ ପାକିସ୍ତାନ ସମେତ ଅନ୍ୟ ରାଷ୍ଟ୍ରର ଦଖଲ ଦେବାର କୌଣସି ଅଧିକାର ନାହିଁ । ଦଖଲ ଦେଲେ ଏହାକୁ ବରଦାସ୍ତ କରାଯିବନି । ଆଉ ଏକ ଟ୍ୱିଟ କରି ରାହୁଲ ଲେଖିଛନ୍ତି ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବାରୁ ଜମ୍ମୁକାଶ୍ମୀରରେ ହିଂସା ଲାଗି ରହିଛି । ବିଶ୍ୱରେ ପାକିସ୍ତାନ ଆତଙ୍କବାଦୀଙ୍କ ମୂଳ ପ୍ରୋତ୍ସାହନକାରୀ ।

ପାକିସ୍ତାନର ଚିଠି ପରେ ରାହୁଲ ଗାନ୍ଧିଙ୍କ ଟ୍ୱିଟ । ରାହୁଲଙ୍କ ନାଁ ନେଇ ମିଳିତ ଜାତିସଂଘକୁ ଚିଠି ଲେଖିଥିଲା ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ରାହୁଲ ଏକ ଟ୍ୱିଟ କରି ଲେଖିଥିଲେ, କାଶ୍ମୀରରେ ହିଂସାକାଣ୍ଡ ଚାଲିଛି ଓ ଲୋକ ମରୁଛନ୍ତି । ରାହୁଲଙ୍କ ଏହି ଟ୍ୱିଟକୁ ଆଧାର କରି ପାକିସ୍ତାନ ମିଳିତ ଜାତିସଂଘକୁ ଚିଠି ଲେଖିଛି । ଯେଉଁ ଚିଠିରେ ରାହୁଲଙ୍କ ଏହି ବୟାନର ଉଲ୍ଲେଖ କରାଯାଇଥିବା ପାକିସ୍ତାନର ମନ୍ତ୍ରୀ ଟ୍ୱିଟ କରିଛନ୍ତି ।

ଏବେ ଏହି ସବୁ ପ୍ରସଙ୍ଗରେ ରାହୁଲଙ୍କ ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ପାକିସ୍ତାନ ରାହୁଲଙ୍କ ବୟାନର ଅପବ୍ୟବହାର କରିଛି ବୋଲି ପକ୍ଷ ରଖିଛି କଂଗ୍ରେସ । ସେପଟେ ବିଜେପି ଏହି ଘଟଣାରେ ରାହୁଲଙ୍କୁ ଘେରିବା ସହ ହୃଦୟରୁ ନୁହେଁ ଚାପରେ ପଡି ରାହୁଲ ବୟାନ ବଦଳାଇଛନ୍ତି ବୋଲି କହିଛି ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ପ୍ରସଙ୍ଗରେ ବାରମ୍ବାର ବିଶ୍ୱ ସମୁଦାୟକୁ ଗୁହାରୀ କରୁଛି ପାକିସ୍ତାନ । ଯେତେବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି ଯେ ଏହା ଭାରତର ଅଭ୍ୟନ୍ତରୀଣ ପ୍ରସଙ୍ଗ । ଏପରିକି ମିଳିତ ଜାତିସଂଘର ଏକ ଅନୌପଚାରିକ ବୈଠକରେ ବି କାଶ୍ମୀର ଭାରତର ଅନ୍ତରୀଣ ପ୍ରସଙ୍ଗ ବୋଲି କୁହାଯାଇଥିଲା । ଏବେ ପୁଣି ଏହାକୁ ନେଇ ମିଳିତ ଜାତିସଂଘକୁ ଚିଠି ଲେଖିଛି ପାକିସ୍ତାନ ।