ଜୀବନକୁ ବାଜିରେ ଲଗାଇ ଜୀବନ ବଞ୍ଚାଇଲେ ଯବାନ । ନଦୀ ଭିତରେ ମୃତ୍ୟୁର ଆଁରେ ଫଶିଥିଲେ ଦୁଇ ଯୁବକ, ଅକାତକାତ ପାଣିକୁ ଓହ୍ଲାଇ ଜୀବନ ବଞ୍ଚାଇଲେ ଯବାନ ।

377

କନକ ବ୍ୟୁରୋ : ବିପଦ ଆସୁ କି ବିପର୍ଯ୍ୟୟ । ସବୁବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଛାତି ଦେଖାଇ ଛିଡା ହୁଅନ୍ତି ସେନାର ବୀର ଯବାନ । ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଇଥାନ୍ତି ଯବାନ । ଆଉ ସେହିଭଳି ଏକ ସାହସିକ ଅଭିଯାନରେ ଭାରତୀୟ ସେନା ପୁଣିଥରେ ଦୁଇ ଯୁବକଙ୍କ ଜୀବନ ବଞ୍ଚାଇଛି । ଜମ୍ମୁ-କାଶ୍ମୀର ପୋଲିସ ସହଯୋଗରେ ଏହି ଦୁଇ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ଯବାନ ।

ମିଳିଥିବା ସୂଚନା ମୁତାବକ, କିସ୍ତୱାଡ ଜିଲ୍ଲାରେ ଚେନାବ ନଦୀ ମଧ୍ୟରେ ଦୁଇ ଯୁବକ ସୁନୀଲ ଓ ବବଲୁ ଫଶି ରହିଥିଲେ । ଜେସିବି ମଧ୍ୟରେ ନଦୀ ପାର କରୁଥିବା ବେଳେ ହଠାତ୍ ନଦୀର ଜଳସ୍ତର ବଢିଥିଲା । ଆଉ ନଦୀର ପ୍ରବଳ ସ୍ରୋତରେ ଫଶି ଯାଇଥିଲେ ଉଭୟ ସୁନୀଲ ଓ ବବଲୁ । ଆଉ ଏହି ଘଟଣା ଜଣା ପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଉଭୟଙ୍କୁ ଉଦ୍ଧାର କରିବାର ପ୍ରୟାସ ସଫଳ ହୋଇନଥିଲା । ପରେ ଉଦ୍ଧାରକାର୍ଯ୍ୟ ପାଇଁ ସେନାକୁ ଡକରା ଆସିଥିଲା । ଆଉ ତତକ୍ଷଣାତ ସେନାର ଯବାନ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହଯୋଗରେ ଆରମ୍ଭ କରିଥିଲେ ଉଦ୍ଧାରକାର୍ଯ୍ୟ । ଜଳସ୍ତର ଲଗାତାର ବୃଦ୍ଧି କାରଣରୁ ଉଦ୍ଧାରକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିଲା । କାରଣ ଜଳସ୍ତର ଏତେ ବଢି ଯାଇଥିଲା ଯେ, ଉଭୟ ଯେଉଁ ଜେସିବିରେ ନଦୀ ପାର କରୁଥିଲେ ତାହାର ଅଧିକାଂଶ ଭାଗ ବୁଡି ସାରିଥିଲା । ତେଣୁ ଉଭୟ ସୁନୀଲ ଓ ବବଲୁ ଯେଣେତେଣେ ଜେସିବି ଉପରେ ବସି ନିଜକୁ ବଞ୍ଚାଇ ରଖି ପାରିଥିଲେ ।

ଆଉ ଏଭଳି ଏକ କଷ୍ଟସାଧ୍ୟ ସ୍ଥିତି ଭିତରେ ଯବାନ ମାନେ ପ୍ରଥମେ ପୋଲର ଦୁଇ ପାଶ୍ୱର୍ରେ ରସି ବାନ୍ଧିଥିଲେ । ଏହାପରେ ଦୁଇ ସାହସୀ ଯବାନ ଅଣ୍ଟାରେ ରସି ବାନ୍ଧିବା ସହ ନଦୀକୁ ଓହ୍ଲାଇଥିଲେ । ଆଉ ନଦୀ ଭିତରେ ଜଣ ଜଣକରି ରଶି ସାହାଯ୍ୟରେ ଉଭୟଙ୍କୁ କୂଳକୁ ପଠାଇଥିଲେ । ଏହି ମିଶନ ପାଖାପାଖି ୫ ଘଣ୍ଟା ଧରି ଚାଲିଥିଲା । ଆଉ ବିଳମ୍ବିତ ରାତିରେ ଉଭୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ସେନାର ଯବାନ ।