ଏୟାରବେସର ସୁରକ୍ଷା ପାଇଁ ବାୟୁସେନାର ବଡ ପଦକ୍ଷେପ । ତିଆରି ହେଉଛି ଅତ୍ୟାଧୁନିକ ଡ୍ରୋନ୍, ପଣ୍ଡ ହେବ ଶତ୍ରୁର ଷଡଯନ୍ତ୍ର

125

କନକ ବ୍ୟୁରୋ : ବିଶ୍ୱରେ ସବୁଠୁ ଶକ୍ତିଶାଳି ବାୟୁସେନାଙ୍କ କଥା ଆସିଲେ ତାଲିକାରେ ଭାରତର ନାଁ ୪ନମ୍ବରରେ ଆସିଥାଏ । ଆମେରିକା, ଋଷ, ଚାଇନା ପରେ ଭାରତୀୟ ବାୟୁସେନା ଏହି ତାଲିକାରେ ଚତୁର୍ଥ ନମ୍ବରରେ ଆସିଥାଏ । ପ୍ରତିରକ୍ଷା କ୍ଷେତ୍ରରେ ଅନ୍ୟ ମହାଶକ୍ତି ଦେଶଗୁଡିକ ଭଳି ଭାରତ ମଧ୍ୟ ତାର ପ୍ରତିରକ୍ଷା ଶକ୍ତିକୁ ବଢାଇବାରେ ଲାଗିଛି । ଅସ୍ତ୍ରଶସ୍ତ୍ର ମାମଲାରେ ଅନ୍ୟ ଦେଶ ଉପରେ ଆଉ ନିର୍ଭର ନହୋଇ ନିଜେ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି ଭାରତ । ଆଉ ଏହାରି ଭିତରେ ବାୟସେନା ତାର ସୁରକ୍ଷା ପାଇଁ ଆଉ ଏକ ପାଦ ଆଗକୁ ବଢାଉଛି ।
ଦେଶର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ବାୟୁସେନାର ଏୟାରବେସର ସୁରକ୍ଷା ପାଇଁ ୟୁଏଭିଏସ୍ ବା ୟୁଏଏସ୍ ଡ୍ରୋନ୍ ଆଣିବାକୁ ଯାଉଛି । ଯହାଦ୍ୱାରା ଏୟାରବେସ୍ ଉପରେ ଆକାଶ ମାର୍ଗରୁ ନଜର ରଖିହେବ । ଏହି ଡ୍ରୋନ୍ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ କେବଳ ଯେ ଏୟାରବେସ୍ ଉପରେ ନଜର ରଖିହେବ ତା’ ନୁହେଁ । ଶତ୍ରୁ ରଚୁଥିବା ଷଡଯନ୍ତ୍ରକୁ ବି ଏହା ଦ୍ୱାରା ପଣ୍ଡ କରିହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଡ୍ରୋନ୍ ଅନ୍ୟ କୌଣସି ବିଦେଶୀ କମ୍ପାନୀଠାରୁ କିଣାଯିବ ନାହିଁ । ଇଣ୍ଡିଆନ୍ ଓରିଜନାଲ ଇକ୍ୟୁପମେଣ୍ଟ୍ ମ୍ୟାନୁଫ୍ୟାକ୍ଚର ଠାରୁ କିଣାଯିବ ।
ସୂଚନା ଅନୁସାରେ ୨୦୨୧ ଜୁନ ମାସରେ ଜମ୍ମୁ ସ୍ଥିତ ବାୟୁସେନା ଠିକଣା ଉପରେ ଡ୍ରୋନ୍ ଆଟାକ୍ କରାଯାଇଥିଲା । ବିସ୍ଫୋରକ ଭର୍ତ୍ତି ଦୁଇଟି ଡ୍ରୋନ୍ ଏୟାରବେସର ଛାତ ଉପରେ ପଡିବାକୁ ଅନେକ କ୍ଷୟକ୍ଷତି ହୋଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଥି ସୈନ୍ୟ ଠିକଣାର ସୁରକ୍ଷା ପାଇଁ ଅତ୍ୟାଧୁନିକ ଡ୍ରୋନର ବ୍ୟବହାର କରାଯିବା ନେଇ ନିସ୍ପତ୍ତି ହୋଇଛି ।
ଗୋଟିଏ ପରେ ପାକିସ୍ତାନ ଅନ୍ୟ ପଟେ ଚୀନ୍ । ଏଲଏସି ଓ ଏଲଓସିରେ ଦୁଇ ଶତ୍ରୁ ରାଷ୍ଟ୍ର ସହିତ ଭରତର ତିକ୍ତତା ସବୁବେଳେ ଲାଗି ରହିଛି । ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଭରତରେ ବଡ ଅଘଟଣ ଘଟାଇବା ପାଇଁ ପ୍ରତି ମୁହୁର୍ତ୍ତରେ ଯୋଜନା କରୁଥିବା ବେଳେ । ଏଲଏସିରେ ଚୀନ୍ ତାର ବିସ୍ତାରବାଦୀ ନୀତି ଦେଖାଇଆସୁଛି । ସୀମା ଭିତରକୁ ବାରମ୍ବାର ପ୍ରବେଶ କରି ସୀମାରେ ଅଶନ୍ତି ସୃଷ୍ଟି କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖିଲେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଥିବା ଅତ୍ୟାଧୁନିକ ଡ୍ରୋନ୍ ବେସ୍ ସହାୟକ ହେବ ବୋଲି ଅଶା କରାଯାଉଛି ।
ଏବେ ଯଦି ଏହି ଡ୍ରୋନର କ୍ଷମତା ବାବଦରେ କବିବା, ତେବେ ଏହି ଡ୍ରୋନ୍ ଖୁବ୍ ଉଚ୍ଚରେ ଉଡିବା ପାଇଁ ସକ୍ଷମ । ଏହି ଡ୍ରୋନ୍ ଏୟାରବେସ୍ ଉପରେ ୨୪ ଘଣ୍ଟା ନଜର ରଖିବ । ଆତଙ୍କବାଦୀଙ୍କ ଗତିବିଧୀ ଉପରେ ବି ନଜର ରଖିବ । ଏହି ଡ୍ରୋନ୍ କେବଳଯେ ଶତ୍ରୁଙ୍କ ଉପରେ ନଜର ରଖିବ ତାନୁହେଁ, ଦରକାର ପଡିଲେ ଶତ୍ରୁ ଉପରେ ଆଖିପିଛୁଳାକେ ଆକ୍ରମଣ ମଧ୍ୟ କରିପାରିବ । ମନୁଷ୍ୟ ଆକାରର ଟାର୍ଗେଟକୁ ଅତି ସହଜରେ ଧ୍ୱସ୍ତ କରିବେରେ ଏହି ଡ୍ରୋନ୍ ସକ୍ଷମ ।