ଭାରତ ଆଣିବ ନିଜସ୍ୱ ଡିଜିଟାଲ କରେନ୍ସି: ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ହେବ ପ୍ରଚଳନ

163

କନକ ବ୍ୟୁରୋ: କ୍ରିପ୍ଟୋ କରେନ୍ସି ବା ଡିଜିଟାଲ କରେନ୍ସିକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା, ତାକୁ ଏକପ୍ରକାର ଦୂର କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କାରଣ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ ଘୋଷଣା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି-

– ଅସନ୍ତା ଆର୍ଥିକ ବର୍ଷରେ ଡିଜିଟାଲ କରେନ୍ସି ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ
– ଅର୍ଥାତ କ୍ରିପ୍ଟୋ କରେନ୍ସିକୁ ନିଷିଦ୍ଧ ନକରି ଏହାକୁ ନିୟନ୍ତ୍ରିତ କରିବା ଚାହୁଁଛନ୍ତି ସରକାର
– ବ୍ଲକଚେନ୍ ଟେକ୍ନୋଲୋଜିରେ ଡିଜିଟାଲ କରେନ୍ସି ଜାରି କରିବ ଆରବିଆଇ
– ଫଳରେ କାରବାରରେ ସ୍ୱଚ୍ଛତା ରହିବ ଏବଂ ଟ୍ରାଞ୍ଜାକ୍ସନ ତଥ୍ୟ ବଦଳା ଯାଇପାରିବ ନାହିଁ

ଏହାବାଦ କ୍ରିପ୍ଟୋ କରେନ୍ସରୁ ଆୟ ଉପରେ ୩୦% ଟିକସ ଆଦାୟ କରିବାକୁ ବଜେଟରେ ଘୋଷଣା ହୋଇଛି । ସେହିପରି ଡିଜିଟାଲ ଆସେଟ୍ ଟ୍ରାନ୍ସଫର କଲେ ମଧ୍ୟ ୧% ଟିକସ ଦେବାକୁ ପଡିବ । କ୍ରିପ୍ଟୋ କରେନ୍ସି କାରବାରକୁ ଆଇନ ସମ୍ମତ ଓ ନିୟନ୍ତ୍ରିତ କରିବାକୁ ଗତ ଶୀତ ଅଧିବେଶନରେ ଏକ ବିଲ ଆଣିବାକୁ ଯୋଜନା କରୁଥିଲେ ମୋଦୀ ସରକାର । ଦି କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଡିଜିଟାଲ କରେନ୍ସି ବିଲ ଆଣିବା ସମ୍ଭବ ହୋଇପାରିଲା ନାହିଁ । କୁହାଯାଉଛି କ୍ରିପ୍ଟୋ କରେନ୍ସିରେ ପାଖାପାଖି ୧ କୋଟି ଭାରତୀୟ ନିବେଶ କରିଛନ୍ତି । ଏମାନଙ୍କ ଭିତରେ ୧୦ ଲକ୍ଷ ଟ୍ରେଡର ବି ରହିଛନ୍ତି । ଏହି ନିବେଶକଙ୍କ ପାଖରେ ପ୍ରାୟ ୧୦ ହଜାର କୋଟିର ଡିଜିଟାଲ ଆସେଟ୍ ରହିଛି ।

କୁହାଯାଉଛି ଆରବିଆଇ ଯେଉଁ ଡିଜିଟାଲ କରେନ୍ସି ଜାରି କରିବ ତାର ନାଁ ରହିବ- ସେଂଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି । ଆରବିଆଇ ବାଲାନ୍ସ ସିଟରେ ଏହାର ତଥ୍ୟ ମଧ୍ୟ ରହିବ ।
ସାଧାରଣତଃ ୨ ପ୍ରକାର ଡିଜିଟାଲ କରେନ୍ସି ଜାରି କରାଯାଏ । ସାଧାରଣ ଲୋକ ଓ କମ୍ପାନି ରିଟେଲ କରେନ୍ସିର କାରବାର କରିପାରିବେ । ବିତିୟ ସଂସ୍ଥା ହୋଲସେଲ କରେନ୍ସିର କାରବାର କରିବେ । ପର୍ଯ୍ୟାୟକ୍ରମେ ଏହାକୁ ଜାରି କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ।