ଆଜିଠୁ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । ଅଭ୍ୟାସ ବେଳେ ଆହତ ହୋଇଥିବାରୁ ରାହୁଲଙ୍କ ଖେଳିବା ନେଇ ଆଶଙ୍କା ।

64

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । ସେର୍-ବାଂଲା ନ୍ୟାସନାଲ ଷ୍ଟାଡିୟମ୍ରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟ ଭାରତ ୧୮୮ ରନ୍ରେ ଜିତିନେଇଥିଲା । ତେଣୁ ଶେଷ ଟେଷ୍ଟ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଭାରତର କାମଚଳା ଅଧିନାୟକ କେଏଲ୍ ରାହୁଲ ଅଭ୍ୟାସ ବେଳେ ଆହତ ହୋଇଛନ୍ତି । ବ୍ୟାଟିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଛି । ସେ ଗୁରୁତର ନହୋଇଥିଲେ ମଧ୍ୟ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ରାହୁଲ ନଖେଳିଲେ ଅଭିମନ୍ୟୁ ଈଶ୍ୱରନ୍ଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ । ସେହିପରି ଚେତେଶ୍ୱର ପୂଜାରା ଦଳର ନେତୃତ୍ୱ ନେଇପାରନ୍ତି । ସେପଟେ ଘରୋଇ ଦଳର ଦ୍ରୁତ ବୋଲର ଇବାଦତ୍ ହୋସେନ୍ ତସ୍କିନ୍ ଅହମ୍ମଦ ସାମିଲ ହେବାର ସମ୍ଭାବନା ରହିଛି ।