ବନ୍ଧା ହେଲେ ମାତାଲ ଡାକ୍ତର । ରାଜଧାନୀରେ ଖେଳାଇଥିଲେ ଆତଙ୍କ । ସିରିଜ୍ ଦୁର୍ଘଟଣାରେ ୪ ଜଣଙ୍କ ଉପରେ ଚଢାଇଥିଲେ ଗାଡି

2,227

କନକ ବ୍ୟୁରୋ: ରାଜଧାନୀରେ ଆତଙ୍କ ଖେଳାଇଲା ମଦୁଆ ଡାକ୍ତରଙ୍କ ଗାଡି । ନିଶାଶକ୍ତ ଅବସ୍ଥାରେ ଡାକ୍ତରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ହସ୍ପିଟାଲ ବେଡରେ ଲୋକେ । ରୋଗୀଙ୍କୁ ଦେଖିବାକୁ ଆସିଥିବା ପରିବାର ଡାକ୍ତରଙ୍କ ଗାଡି ଦୁର୍ଘଟଣା ଯୋଗୁ ଏବେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ୪ ଜଣ ବ୍ୟକ୍ତି ଏବେ ଏକ ଘରୋଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

  • ବନ୍ଧା ହେଲେ ମାତାଲ ଡାକ୍ତର
  • ୪ ଜଣଙ୍କ ଉପରେ ଚଢାଇଥିଲେ ଗାଡି

ସୂଚନାନୁସାରେ ଏକାଧିକ ବ୍ୟକ୍ତ୍ୟିଙ୍କର ଦେହର ହାଡ ବି ଭାଙ୍ଗିଛି, ମୁଣ୍ଡ ଏବଂ ଦେହରେ ଗଭୀର ଆଘାତ ଲାଗିଛି । ଦିନ ଦ୍ୱିପ୍ରହରରେ ମଦ ପିଇ ମାତାଲ ଅବସ୍ଥାରେ ଗାଡି ଚଲାଉଥିଲେ ଏକ ଘରୋଇ ହସ୍ପିଟାଲର ଆଇସିୟୁ ଇନଚାର୍ଜ ଡାକ୍ତର ସଞ୍ଜୟ ମହାନ୍ତି । ଗାଡିର ବେଗ ଏତେ ଅଧିକ ଥିଲା ଯେ, କେହି କିଛି ବୁଝିବା ଆଗରୁ ଅଟୋ, କାର, ସ୍କୁଟି ଉପରେ କାର ଚଢିଯାଇଥିଲା । ଏପରିକି ରାସ୍ତାରେ ଛିଡା ହୋଇଥିବା ଲୋକଙ୍କ ଉପରେ ବି ଗାଡି ଚଢାଇ ଦେଇଥିଲେ ଏହି ଡାକ୍ତର ।

ସେପଟେ ମଦୁଆ ଡାକ୍ତର ସଞ୍ଜୟ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ସହିଦନଗର ଥାନା ପୁଲିସ । ତେବେ ଜବତ ହୋଇଥିବା ହୋଣ୍ଡା ସିଟି କାରର ନମ୍ବର ଓଆର ବିଡି ୧୨୫୭ ରହିଛି । ଯାହାର ଇନସ୍ୟୁରାନ୍ସ ୧୮ ଫେବୃୟାରୀ ୨୦୧୧ରୁ ଶେଷ ହୋଇ ସାରିଛି । ଏହାର ଅର୍ଥ ହେଉଛି ପାଖାପାଖି ୧୩ ବର୍ଷ ହେଲାଣି ବିନା ଇନସ୍ୟିୁରାନ୍ସରେ ଏହି କାର ଚାଲୁଥିଲା । ନିୟମ ଅନୁସାରେ ଦୁର୍ଘଟଣା ଘଟାଇଥିବା କାରର ଯଦି ଇନସ୍ୟୁରାନ୍ସ ନଥାଏ, ତେବେ ଆହାତ ଲୋକଙ୍କୁ ଗାଡି ମାଲିକ କ୍ଷତିପୁରଣ ଦେବାକୁ ବାଧ୍ୟ ବୋଲି ପୁର୍ବତନ ପୁଲିସ ଅଧିକାରୀ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି …

  • ମଦୁଆ ଡାକ୍ତରଙ୍କ ଏହି କାରନାମା ପାଇଁ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି?
  • କିଏ ଦେବ ଆହାତ ଲୋକଙ୍କୁ କ୍ଷତିପୁରଣ ?
  • ଡାକ୍ତର ନିଶାଶକ୍ତ ଅବସ୍ଥାରେ କେମିତି ଦେଖୁଥିଲେ ରୋଗୀ ?
  • ହସ୍ପିଟାଲ ପକ୍ଷରୁ କାହିଁକି ନିଆଯାଇନି କାର୍ଯ୍ୟାନୁଷ୍ଠାନ?