ଦେଶରେ ଗତ ୨୪ ଘଂଟାରେ ୩ ଲକ୍ଷ ୩୩ ହଜାର କରୋନା ପଜିଟିଭ୍ ଚିହ୍ନଟ : ଆଉ ୫୨୫ ଜଣଙ୍କ ଜୀବନ ନେଲା ଭୂତାଣୁ

72

କନକ ବ୍ୟୁରୋ : ଦେଶରେ ଧୀରେଧୀରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ମୋଟ୍ ୩ ଲକ୍ଷ ୩୩ ହଜାର ୫୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଗତକାଲି ଅପେକ୍ଷା ଆଜି ୪ ହଜାର ୧୭୧ କମ୍ ମାମଲା ଆସିଛି । କିଛିଦିନ ହେଲା ଦେଶରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ଗତକାଲି ଦେଶରେ ୩ ଲକ୍ଷ ୩୭ ହଜାର ୭୦୪ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଗତ ୨୪ ଘଂଟା ଭିତରେ ୨ ଲକ୍ଷ ୫୯ ହଜାର ୧୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଏବେ ସାରାଦେଶରେ ମୋଟ୍ ୨୧ ଲକ୍ଷ ୮୭ ହଜାର ୨୦୫ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଟେଷ୍ଟ ପଜିଟିଭ ହାର ରହିଛି ୧୭ ଦଶମିକ ୭୮ ପ୍ରତିଶତ । ଶୁକ୍ରବାର ଦେଶରେ ମୋଟ୍ ୩ ଲକ୍ଷ ୪୭ ହଜାର ୨୫୪ ଜଣ କରୋନା ପଜିଟିଭ ହୋଇଥିଲେ । ଆଇଆଇଟି କାନପୁରର ସୂତ୍ର ମଡେଲ ଅନୁସାରେ ଜାନୁଆରୀ ୨୩ ଅର୍ଥାତ ଆଜି ଦେଶରେ ୪ ଲକ୍ଷ ସଂକ୍ରମଣ ସହ ପିକ ଆସିବା କଥା । ହେଲେ ଗତ ୪ଦିନ ହେଲା ଦେଶରେ ୩ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏବଂ ଗୁରୁବାରଠାରୁ କରୋନା ଗ୍ରାଫ ଧୀରେଧୀରେ ତଳକୁ ଖସୁଥିବା ଦେଖା ଯାଉଛି । ଅନୁମାନ କରାଯାଉଛି କେତେକ ସହରରେ କରୋନା ପିକ ଛୁଇଁ ତଳକୁ ଖସିବା ଆରମ୍ଭ କରିଥିବାବେଳେ ଆଉ କେତେକ ସହରରେ ପିକ୍ ଆସିବା ଆହୁରି ବାକି ରହିଛି ।