ରଙ୍ଗାରଙ୍ଗ ହେବ ଭାରତ-ପାକିସ୍ତାନ ମ୍ୟାଚ: ଜଲୱା ଦେଖାଇବେ ବଲିଉଡ କଣ୍ଠଶିଳ୍ପୀ, ଯୋଗଦେବେ ବିଗ-ବି, ରଜନୀକାନ୍ତ, ସଚିନ

1,054

କନକ ବ୍ୟୁରୋ: ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏଥିପାଇଁ ବଡ଼ ଆୟୋଜନ କରିଛି ବିସିସିଆଇ । ମ୍ୟାଚ ପୂର୍ବରୁ ବଲିଉଡ କଳାକାରଙ୍କୁ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶନିବାର ମଧ୍ୟାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବାର ଅଛି । ମ୍ୟାଚ୍ ପୂର୍ବରୁ ୧୨.୩୦ ମିନଟରୁ ମଧ୍ୟାହ୍ନ ୧.୧୦ ମିନିଟ୍ ପର୍ଯ୍ୟନ୍ତ ୩୦ ମିନିଟ୍ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ ସେଲିବ୍ରଟି । ଅରିଜିତ ସିଂ, ସୁଖବିନ୍ଦର ସିଂ, ଶଙ୍କର ମହାଦେବନ ଭଳି ନାମୀଦାମୀ କଣ୍ଠଶିଳ୍ପୀ ଗୀତ ଗାଇବେ ବୋଲି ବିସିସିଆଇ ପକ୍ଷ୍ୟରୁ କୁହାଯାଇଛି । ଏଥିସହ ବିଶ୍ୱକପ ପାଇଁ ବିସିଆଇ ପକ୍ଷ୍ୟରୁ ପ୍ରଦାନ କରାଯାଇଥିବା ଗୋଲଡେନ ଟିକେଟଧାରୀ ଅମିତାଭ ବଚ୍ଚନ, ସାଉଥଷ୍ଟାର ରଜନିକାନ୍ତ ଏବଂ ସଚିନ ତେନ୍ଦୁଲକରଙ୍କ ସହ ଅନ୍ୟ ଭିଆଇପିମାନେ ମ୍ୟାଚରେ ଉପସ୍ଥିତ ରହିବେ ।

ବିଶ୍ୱକପର ଉଦଘାଟନୀ ମ୍ୟାଚରେ କୌଣସି ଉତ୍ସବ ଦେଖିବାକୁ ମିଳିନଥିଲା । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ବି କିଛି ଆୟୋଜନ କରିନଥିଲା ଭାରତ । ହେଲେ ଦୁଇ ଦେଶ ମଧ୍ୟରେ ଶତ୍ରୂୁତା ଥିଲେ ବି ଭାରତ-ପାକିସ୍ତାନ ମ୍ୟାଚରେ କ୍ରିକେଟପ୍ରେମୀଙ୍କ ଆଗ୍ରହ ଥିବାରୁ ବଲିଉଡ କଳାକାରଙ୍କୁ ନେଇ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରିଛି ଭାରତ ।

ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଅହମ୍ମଦାବଦରେ ବଡ଼ ଛୋଟ ସବୁ ହୋଟେଲରେ ରୁମ ବୁକିଂ ସରିଛି । ରହିବା ପାଇଁ ରୁମ ମିଳୁନଥିବାରୁ ଲୋକେ ସ୍ୱାସ୍ଥ୍ୟ ପରୀକ୍ଷାର ବାହାନା ଦେଖାଇ ହସ୍ପିଟାଲ ଭର୍ତି ହୋଇଥିବାର ଖବର ସାମ୍ନାକୁ ଆସିଛି । ବଡ଼ କଥା ହେଉଛି ପାକିସ୍ତାନ ବିପକ୍ଷରେ ଫର୍ମରେ ଥିବା ବ୍ୟାଟର ଶୁଭମନ ଗିଲ ଖେଳିବେ ବୋଲି ଭାରତୀୟ ଦଳର ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ କହିଛନ୍ତି । ଏପଟେ ଗିଲ ଶୁକ୍ରବାର ନେଟରେ ପ୍ରାୟ ଏକ ଘଂଟା ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଇସାନ କିଶାନ ବଦଳରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ସେପଟେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ମହମ୍ମଦ ସିରାଜଙ୍କ ପଦର୍ଶନ ଭଲ ନଥିବାରୁ ତାଙ୍କ ବଦଳରେ ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯାଇପରେ । ବିଶ୍ୱକପରେ ଉଭୟ ଭାରତ ଏବଂ ପାକିସ୍ତାନ ଦୁଇଟି ଲେଖାଏଁ ମ୍ୟାଚ ଜିତିସାରିନଥିବାରୁ ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ସବୁଠୁ ବଡ଼ କଥା ହେଉଛି ଦିନିକିଆ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ ପାକିସ୍ତାନ । ପାକିସ୍ତାନ ବିଶ୍ୱକପ ଜିତିଥିଲେ ବି ଭାରତ ବିପକ୍ଷରେ ଖେଳିଥିବା ୭ ଟି ଯାକ ମ୍ୟାଚ ହାରିଯାଇଛି । ତେଣୁ ଏଥର ମ୍ୟାଚ ଜିତି ଅଲୋଡା ରେକର୍ଡ ଭାଙ୍ଗବାକୁ ଚେଷ୍ଟା କରିବ ପାକିସ୍ତାନ ଦଳ ।