ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ: ୩ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନରେ ଆଗୁଆ । ଯଶ୍ୱସୀଙ୍କ ଦମଦାର ଶତକ ।

229

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ୩ୟ ଟେଷ୍ଟର ୩ୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୩୨୨ ରନରେ ଆଗୁଆ । ଶନିବାର ଷ୍ଟମ୍ପ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୨ ୱିକେଟରେ ୧୯୬ ରନ୍ ସଂଗ୍ରହ କରିବା ସହିତ ବିରୋଧୀ ଇଂଲଣ୍ଡଠାରୁ ୩୨୨ ରନ୍ ଆଗରେ ରହିଛି । ଦଳର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ୬୫ ରନରେ ଅପରାଜିତ ଥିବାବେଳେ, କୁଲଦୀପ ଯାଦବ ୩ ରନ୍ କରି ବ୍ୟାଟିଂ କରୁଛନ୍ତି ।

ଶନିବାର ଇଂଲଣ୍ଡ ପ୍ରଥମ ଇଂନିସରେ ୩୧୯ ରନ୍ କରି ଅଲଆଉଟ୍ ହେଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ ୱିକେଟ୍ ନେଇଥିବାବେଳେ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ତାଙ୍କ ସହିତ ବୁମରା ଏବଂ ଅଶ୍ୱିନୀ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଏହାପରେ ଦ୍ୱିତୀୟ ଇଂନିସ୍ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ରୋହିତ ବାହିନୀ ।

ଦ୍ୱିତୀୟ ଇଂନିସରେ ଟିମ୍ ଇଣ୍ଡିଆ ଯଶ୍ୱସୀ ଜୟସୱାଲଙ୍କ ଦମଦାର ଶତକ ସହ ଆଗକୁ ବଢିଥିଲା । ହେଲେ ୧୦୪ ରନ୍ କରିବା ପରେ ରିଟାୟର୍ଡ ହଟ୍ ହେଇଥିବା ଯଶ୍ୱସୀ । ସେହିପରି ରୋହିତ ଶର୍ମା ୧୯ ରନ୍ କରି ରୁଟଙ୍କ ଶିକାର ହେଇଥିଲେ । ତେବେ ଯଶ୍ୱସୀ ରିଟାୟର୍ଡ ହଟ୍ ହେଇ ପ୍ୟାଭିଲିୟନ୍ ଫେରିବା ପରେ, ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରଜତ ପଟିଦାର ମଧ୍ୟ ଶୂନ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।

ତେବେ ମ୍ୟାଚ୍ ଶେଷ ହେବାକୁ ଆହୁରି ୨ ଦିନ ବାକି । ତେଣୁ ମ୍ୟାଚର ଫଳାଫଳ ଆସିବାର ସମ୍ଭାବନା ଅଧିକ ରହିଛି । ସିରିଜର ୨ଟି ଟେଷ୍ଟ ଶେଷ ହେଇଥିବାବେଳେ, ଉଭୟ ଟିମ୍ ଏବେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି, ସିରିଜ୍ ବରାବର ରଖିଛନ୍ତି ।