ସେଂଚୁରିଆନ୍ ଟେଷ୍ଟରେ ଡ଼୍ରାଇଭର ସିଟରେ ଟିମ୍ ଇଣ୍ଡିଆ : ତୃତୀୟ ଦିନରେ ଦେଖିବାକୁ ମିଳିଲା ବୋଲରଙ୍କ ରାଜୁତି, ଗଲା ୧୮ ୱିକେଟ୍

ଏବେ ଦକ୍ଷିଣ-ଆଫ୍ରିକାର ବଡ଼ ଟାର୍ଗେଟ ଉପରେ ନଜର

164

କନକ ବ୍ୟୁରୋ : ସେଂଚୁରିଆନ୍ ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ । ତୃତୀୟ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୧୮ଟି ୱିକେଟ୍ ଯାଇଛି । ବର୍ଷା ଯୋଗୁଁ ଦ୍ବିତୀୟ ଦିନ ଖେଳ ସମ୍ପୂର୍ଣ୍ଣ ‌ଧୋଇଯାଇଥିଲେ ମଧ୍ୟ ଏହାକୁ ବୋଲରମାନେ ପୁନଃ ଜୀବନ୍ତ କରିଦେଇଛନ୍ତି । ଭାରତର ପ୍ରଥମ ପାଳି ମଙ୍ଗଳବାର ସକାଳେ ଅପ୍ରତ୍ୟାଶିତ ଭାବେ ୩୨୭ ରନ୍‌ରେ ଶେଷ ହୋଇଥିଲା ।

ତେବେ ଦକ୍ଷିଣ ଆଫ୍ରିକା ପାଳିକୁ ଭାରତୀୟ ବୋଲର ୧୯୭ ରନ୍‌ରେ ରୋକି ଦେଇଥିଲେ । ବିରାଟ କୋହଳିଙ୍କ ଦଳକୁ ପ୍ରଥମ ପାଳିରେ ୧୩୦ ରନ୍‌ର ଅଗ୍ରଣୀ ମିଳିଯାଇଛି । ତୃତୀୟ ଦିନ ଖେଳ ଶେଷ ବେଳକୁ ଭାରତ ଦ୍ବିତୀୟ ପାଳିରେ ମୟଙ୍କ ଅଗ୍ରୱାଲଙ୍କ ଏକମାତ୍ର ୱିକେଟ୍ ହରାଇ ୧୬ ରନ୍‌ କରିଥିଲେ ମଧ୍ୟ ମୋଟ ଉପରେ ୧୪୬ ରନ୍‌ରେ ଆଗୁଆ ହୋଇ ଦୃଢ଼ ସ୍ଥିତିରେ ରହିଛି । ବୋଲରଙ୍କ ପ୍ରାଧାନ୍ୟ ଭିତରେ ବିତିଥିବା ତୃତୀୟ ଦିନରେ ଲୁଙ୍ଗି ଏନ୍‌ଗିଡି ୬/୭୧ ଏବଂ ମହମ୍ମଦ ସାମି ୫/୪୪ ଚମତ୍କାର ବୋଲିଂ କରି ଚର୍ଚ୍ଚାରେ ରହିଥିଲେ ।

ମଙ୍ଗଳବାର ସକାଳେ ପାଗ ଠିକ୍‌ଠାକ ରହିଥିଲେ ମଧ୍ୟ ପିଚ୍‌ ଓ ପରିବେଶରୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଫାଇଦା ଉଠାଇଥିଲେ । ମାତ୍ର ୮୩ ମିନିଟର ଖେଳରେ ଭାରତର ଅବଶିଷ୍ଟ ୭ ୱିକେଟ୍ ଖସାଇ ନେଇଥିଲେ । ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ତାଙ୍କ ୨୦୧୮ ଭାରତ ବିପକ୍ଷ ପଦାର୍ପଣ ଟେଷ୍ଟ୍‌ ଭଳି ୬ ୱିକେଟ୍ ଅକ୍ତିଆର କରି ବିରାଟ କୋହଲିଙ୍କ ଦଳର ସର୍ବାଧିକ କ୍ଷତି ଘଟାଇଥିଲେ । ଭାରତ ମାତ୍ର ୬୯ ବଲ୍‌ ଭିତରେ ଶେଷ ୭ ୱିକେଟ୍ ହରାଇଥିଲା । ଭାରତ ପ୍ରଥମ ୪ ୱିକେଟ୍‌ ପାଇଁ ୯୦ ଓଭର ଖେଳିବା ପରେ ଏହା ଥିଲା ଦ୍ବିତୀୟ ଦ୍ରୁତତମ ବ୍ୟାଟିଂ ବିପର୍ଯ୍ୟୟ । ଭାରତ ମଙ୍ଗଳବାର ଏହି ୭ ୱିକେଟ୍ ହରାଇବା ପୂର୍ବରୁ ମାତ୍ର ୫୫ ରନ୍‌ ଯୋଡ଼ିଥିଲା । ୩୨୭ ରନ୍‌ ସ୍କୋର୍‌ କିନ୍ତୁ ଭାରତ ପାଇଁ ଯଥେଷ୍ଟ ହେବା ଭଳି ପ୍ରତୀୟମାନ ହୋଇଥିଲା ।

ସୁପର୍‌ସ୍ପୋର୍ଟ ପାର୍କରେ ମଙ୍ଗଳବାର ଦୁଇ ଭାରତୀୟ ଖେଳାଳି ଋଷଭ ପନ୍ତ୍‌ ଏବଂ ମହମ୍ମଦ ସାମି ଦୁଇଟି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ । ନିଜ ୨୬ତମ ଟେଷ୍ଟ୍‌ରେ ୱିକେଟରକ୍ଷକ ପନ୍ତ୍‌ ୧୦୦ ଡିସ୍‌ମିସାଲ୍‌ କ୍ୟାଚ୍‌ ଓ ଷ୍ଟମ୍ପିଂ କରିଥିଲେ । ଦ୍ବିତୀୟ ଦ୍ରୁତତମ ଭାରତୀୟ ଭାବେ ସେ ଏହି ଗୌରବ ଅର୍ଜନ କରିଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ପନ୍ତ୍‌ ମୋଟ ୪ଟି କ୍ୟାଚ୍‌ ନେବା ଅବସରରେ ଏହି ଗୌରବ ଅର୍ଜନ କରିଥିଲେ । ପୂର୍ବରୁ ଋଦ୍ଧିମାନ ସାହା ଏବଂ ମହେନ୍ଦ୍ର ସିଂହ ଧୋନି ୩୬ତମ ଟେଷ୍ଟରୁ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ପାଳିକୁ ପ୍ରଥମରୁ ଅସ୍ତବ୍ୟସ୍ତ କରିଥିବା ମହମ୍ମଦ ସାମି ୫/୪୪ ଚିତ୍ର ସହ ୨୦୦ ଟେଷ୍ଟ୍‌ ୱିକେଟ୍ ଭାରତୀୟ କ୍ଲବ୍‌ରେ ସାମିଲ ହୋଇଥିଲେ । ଷଷ୍ଠ ଥର ପାଇଁ ‌ସାମି ୫ ୱିକେଟ୍ ସଫଳତା ପାଇଥିଲେ ମଧ୍ୟ ଦ୍ବିତୀୟ ଥର ପ୍ରଥମ ପାଳିରେ ଏହା କରିଥିଲେ ।