ଆଜି ଭାରତ ଓ ଜିମ୍ବାୱେ ପ୍ରଥମ ଦିନିକିଆ : ଟି-୨୦ ବିଶ୍ୱକପ ପୂର୍ବରୁ ଯୁବ ବାହିନୀର ପ୍ରଦର୍ଶନ ଉପରେ ବିସିସିଆଇର ନଜର

120

କନକ ବ୍ୟୁରୋ :  ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବା ପ୍ରଥମ ଦିନିକିଆ ମ୍ୟାଚ । ଶୃଙ୍ଖଳାର ତିନୋଟି ମ୍ୟାଚରୁ ଆଜି ପ୍ରଥମ ମୁକାବିଲା । ଏହି ମ୍ୟାଚ ଜିମ୍ବାୱେର ହରାରେର ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଆୟୋଜିତ ହେବ । ଟି-୨୦ ବିଶ୍ୱକପର ମାତ୍ର ଦୁଇ ମାସ ପୂର୍ବରୁ ଖେଳାଯାଉଥିବା ଏହି ଶୃଙ୍ଖଳାରେ ଭାରତ ତା’ର ଯୁବ ବାହିନୀର ପରୀକ୍ଷା ନିରୀକ୍ଷା କରିବ । ତେଣୁ ଯୁବ ଖେଳାଳିଙ୍କ ଉପରେ ଦଳର ନଜର ରହିଛି ।

ଯିଏ ଭଲ ଖେଳିବ ସିଏ ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇପାରନ୍ତି । ତେବେ ଓପ୍ନର ତଥା ଅଧିନାୟକ କେଏଲ୍ ରାହୁଲ ଏହି ମ୍ୟାଚରେ ଦଳକୁ ଫେରିଛନ୍ତି । ଗତ ମେ’ରେ ଖେଳାଯାଇଥିବା ଆଇପିଏଲ୍ ଏଲିମିନେଟର ମ୍ୟାଚ୍ ପରେ ରାହୁଲଙ୍କର ଏହା ପ୍ରଥମ ମ୍ୟାଚ୍ ହେବ । ଆଘାତ ଲାଗିବା ଏବଂ କୋଭିଡ୍ ସଂକ୍ରମଣ ହେବା ଯୋଗୁଁ ଗତ କିଛି ଶୃଙ୍ଖଳାରୁ ସେ ଦୂରେଇ ରହିଥିଲେ । ଭାରତ ପାଇଁ ସବୁଠାରୁ ଭଲ କଥା ହେଲା ହରାରେରେ ଟିମ୍ ଇଣ୍ଡିଆ କେବେ ହାରିନି ।

ସେପଟେ ଜୁଲାଇ ୨୦୧୩ ମସିହାଠାରୁ ଏଠାରେ ଭାରତ ଲଗାତାର ୯ ଦିନିକିଆ ଜିତି ସାରିଛି । ଭାରତ ଏହି ଶୃଙ୍ଖଳା ରାହୁଲ ଦ୍ରାବିଡ଼ଙ୍କ ପରିବର୍ତେ ଭିଭିଏସ୍ ଲକ୍ଷ୍ମଣଙ୍କ ପ୍ରଶିକ୍ଷଣରେ ଖେଳିବ । ଜିମ୍ବାୱେ ମଧ୍ୟ ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି ତା’ର ଚୂଡ଼ାନ୍ତ ଦଳ ବାଛିବ । ବାଂଲାଦେଶ ବିପକ୍ଷ ଶୃଙ୍ଖଳାର ଭଲ ପ୍ରଦର୍ଶନ କରିଥିଲା । ତେଣୁ ଘରୋଇ ଦଳ ଜିମ୍ବାୱେ ଉତ୍ସାହିତ ରହିଛି ।

ସମ୍ଭାବ୍ୟ ଭାରତ : ଶୁବମନ ଗିଲ୍, ଶିଖର ଧାୱନ, ରାହୁଲ ତ୍ରିପାଠୀ, କେଏଲ୍ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ୍, ଦୀପକ ହୁଦା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ/ଶାହବାଜ ଅହମ୍ମଦ, ଆୱେଶ ଖାନ୍, ମହମ୍ମଦ ସିରାଜ/ଦୀପକ ଚହର।

ସମ୍ଭାବ୍ୟ ଜିମ୍ବାୱେ : ତାଡିୱାନସେ ମାରୁମନି, ତାକୁଜ୍ବାନ୍‌ସେ କାଇତାନୋ, ଇନୋସେଣ୍ଟ କାଇଆ, ୱେସଲି ମାଧେଭେରେ, ସିକନ୍ଦର ରାଜା, ରେଜିସ୍ ଚକଭା (ଅଧିନାୟକ), ଟୋନି ମୁନୟୋଙ୍ଗା, ଲୁକ୍ ଜଙ୍ଗୱି, ଭିକ୍ଟର ନାଉଚି, ତନକା ଚିଭାଭା