ଓଡ଼ିଶାରେ ବିଜେପି ପାଇଁ ମାରାଥନ ପ୍ରଚାର କଲେ ଡ୍ରିମ ଗାର୍ଲ ହେମାମାଳିନୀ । କଟକ ଓ ପିପିଲିରେ ରେ ବିଶାଳ ରୋଡ-ସୋ । କହିଲେ, ଡବଲ ଇଞ୍ଜିନ ସରକାର ଆସିଲେ ହେବ ବିକାଶ

90

କନକ ବ୍ୟୁରୋ: ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ମଥୁରା ସାଂସଦ ତଥା ବଲିଉଡ୍ ଡ୍ରିମ୍ ଗାର୍ଲ ହେମାମାଳିନୀ । ଭୁବନେଶ୍ୱର ସାଲିଆ ସାହିରେ ଜନସଭା, କଟକ ସଦର ବିଧାନସଭା ଅନ୍ତର୍ଗତ କିଶନନଗରରେ ରୋଡ ସୋ କରିଛନ୍ତି ହେମା । ସେହିପରି ପିପିଲିରେ ରୋଡ୍ ସୋ’ କରି ବିଜେପି ପାଇଁ ଭୋଟ୍ ଅପିଲ୍ କରିଛନ୍ତି ହେମାମାଳିନୀ ।

ଭୁବନେଶ୍ୱରରେ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ସେ କହିଛନ୍ତି, ରାଜ୍ୟରେ ଦୁର୍ନୀତି ଓ ବେରୋଜଗାର ବଢ଼ିଛି । ମୋଦୀଙ୍କ ଯୋଜନା ଏଠାରେ ପହଞ୍ଚି ପାରୁନାହିଁ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ହେବ ବୋଲି କହିଛନ୍ତି ଡ୍ରିମ୍ ଗାର୍ଲ । ଭୁବନେଶ୍ୱର ନିର୍ବାଚନୀ ସଭାରେ ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ପରେ କଟକ ଓ ପିପିଲିରେ ନିର୍ବାଚନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ । କିଶନନଗରରେ ରୋଡ ସୋ କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍ କରିଛନ୍ତି । ତେବେ ହେମାମାଳିନୀଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିôବାକୁ ମିଳିଥିଲା । ସେହିପରି ପିପିଲିରେ ମଧ୍ୟ ବିଜେପି ରୋଡ ସୋ’ରେ ସାମିଲ ହୋଇଛନ୍ତି ହେମାମାଳିନୀ । ଦଳୀୟ ପ୍ରାର୍ଥୀଙ୍କ ସହ ବିଶାଳ ରୋଡ୍ ସୋ’ କରିଛନ୍ତି । ହେମାଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଯେତିକି ଆଗ୍ରହ ଦେଖିବାକୁ ମିଳିଛି, ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ସେତିକି ଉତ୍ସାହ ସୃଷ୍ଟି ହୋଇଛି । ତେବେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ କରିବା ପରେ ରାଜ୍ୟର ନିର୍ବାଚନ ମାହୋଲ ସରଗରମ ହୋଇଛି ।