ମାଗଣା ଯୋଜନା : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ …

206

କନକ ବ୍ୟୁରୋ : ରାବଡ଼ି କଲଚର ବା ମାଗଣା ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ମାଗଣା ଯୋଜାନାକୁ ବିରୋଧ କରି ହୋଇଥିବା ଏକ ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ପ୍ରତିଶ୍ରୁତି ଉପରେ କୋର୍ଟ ରୋକ ଲଗାଇ ପାରିବେନି । ଏହି ପ୍ରତିଶ୍ରୁତିଗୁଡିକ ଦଳ କ୍ଷମତାକୁ ଆଣିବ ନା ନାହିଁ ତା ଉପରେ କୌଣସି ଗ୍ୟାରେଣ୍ଟି ଦିଏ ନାହିଁ ।

କୋର୍ଟ କିନ୍ତୁ ଏକଥା କହିଛନ୍ତି ସରକାରୀ ଅର୍ଥ କେଉଁଠି ଓ କିଭଳି ବିନିଯୋଗ ହେଉଛି ସେ ଉପରେ ଯେ କେହିବି ପ୍ରଶ୍ନ ଉଠାଇପାରିବେ । ଶନିବାର ସୁଦ୍ଧା ଏହି ପ୍ରସଙ୍ଗ ଉପରେ କୋର୍ଟରେ ରାଜନୈତିକ ଦଳମାନେ ନିଜ ନିଜର ମତାମତ ରଖିବାକୁ କୋର୍ଟ କହିଛନ୍ତି । ଆଗାମୀ ଶୁଣାଣି ସୋମବାର ହେବ । ମାଗଣା ଯୋଜନାକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଆବେଦନକାରୀଙ୍କ ଦାବି ଥିଲା ଯେ ରାଜନୈତିକ ଦଳଗୁଡିକ ସେମାନଙ୍କ ଭୋଟରଙ୍କୁ ପ୍ରତିଶ୍ରୁତି ଦେବା ବନ୍ଦ କରିବା ଉଚିତ ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା‌, ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣା‌ଣି ବେଳେ କହିଛନ୍ତି, ଏହା ଉପରେ ବିତର୍କ ଏବଂ ଆଲୋଚନା ହେବା ଜରୁରୀ । କିଛି ସରକାରୀ ସ୍କିମ୍ ହେଉଛି ଲୋକମାନଙ୍କର ଅଧିକାର । ଏହାକୁ ମାଗଣା ଉପହାର ବୋଲି କହିବା ଠିକ୍‌ ହେବନାହିଁ । ସବୁଠାରୁ ଚିନ୍ତାଜନକ ହେଉଛି ସରକାରୀ ଅର୍ଥକୁ କିଭଳି ଖର୍ଚ୍ଚ କରାଯାଇପାରିବ ।

କିଛି ଲୋକ କହୁଛନ୍ତି ଟଙ୍କା ବରବାଦ ହେଉଛି । ଆଉ କିଛି ଲୋକ କହୁଛନ୍ତି ଲୋକଙ୍କ କଲ୍ୟାଣ ପାଇଁ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏହି ପ୍ରସଙ୍ଗ ଅଧିକ ଜଟିଳ ହେବାରେ ଲାଗିଲାଣି । ତେଣୁ ଖଣ୍ଡପୀଠ ଏହି ମାମଲାରେ ଅନ୍ତର୍ଭୁକ୍ତ ସମସ୍ତ ପକ୍ଷଙ୍କ ମତାମତ ମାଗିଛନ୍ତି । ଉକ୍ତ ପ୍ରସଙ୍ଗରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ‌ଖଣ୍ଡପୀଠ କହିଛନ୍ତି ।