୪ ଘଣ୍ଟା ଧରି ବାରିପଦାରେ ଆତଙ୍କ ଖେଳାଇଲା କଲରାପତରିଆ । ଟ୍ରାଙ୍କୁଲାଇଜ କରି କାବୁ କଲା ବନବିଭାଗର ରେସକ୍ୟୁ ଟିମ୍ । ସ୍ଥାନୀୟ ବାସିନ୍ଦା ଭୟଭୀତ

73

କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ବାରିପଦା ସହରରେ ଆତଙ୍କ ଖେଳାଇଥିଲା ଏକ କଲପତରିଆ ବାଘ । ବାଘକୁ ଦେଖି ଯେପରି ସ୍ତବ୍ଧ ହୋଇଯାଇଥିଲେ ବୁଢ଼ିଖମାରୀ ଅଞ୍ଚଳବାସୀ । ବାଘକୁ କାବୁ କରିବା ପାଇଁ ବନବିଭାଗକୁ ଖୁବ୍ ନାକେଦମ ହେବାକୁ ପଡ଼ିଥିଲା । ଆଉ ୪ ଘଣ୍ଟାର କସରତ ପରେ ବାଘଟିକୁ ଟ୍ରାଙ୍କୁଲାଇଜ କରିଥିଲା ବନବିଭାଗ ।

ତେବେ ଯେତେବେଳେ ସହର ଭିତରେ ବାଘ ବୁଲୁଥିବାର ଖବର ଲୋକଙ୍କ ପାଖରେ ପହଞ୍ଚିଥିଲା, ସମସ୍ତେ ଛାନିଆ ହୋଇଯାଇଥିଲେ । ଆଉ ଯେତେବେଳେ ନିଜ ଆଖିରେ ବାଘ ବୁଲୁଥିବା ଦେଖିଥିଲେ, ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । କେତେବେଳେ କାହା ଉପରକୁ ବାଘ ମାଡ଼ି ଆସିବ, ସେହି ଆଶଙ୍କାରେ ଘରୁ ବାହାରକୁ ବାହାରିବା ବନ୍ଦ କରିଦେଇଥିଲେ ଲୋକେ । କେମିତି ବାଘକୁ କାବୁ କରାଯିବ, ଆଉ ପୁଣିଥରେ ଜଙ୍ଗଲକୁ ଛଡ଼ାଯିବ, ସେ ଚର୍ଚ୍ଚା ଭିତରେ ବାରିପଦାରେ ପହଞ୍ଚିଲା ବନ ବିଭାଗର ଟିମ୍ । ଦୀର୍ଘ ସମୟର କସରତ ପରେ ମଣିଷର ଜନ୍ତା ଭିତରେ ପଡ଼ିଥିଲା କଲରାପତରିଆ ।

  • ସମୟ: ସକାଳ ୬.୩୦
  • ସ୍ଥାନ: ବୁଢ଼ିଖମାରୀ ଅଞ୍ଚଳ, ବାରିପଦା ସହର

ହଠାତ୍ ବାଘ ପଶିଥିବା ଦେଖିବାକୁ ପାଇଥିଲେ ଜଣେ ବ୍ୟକ୍ତି । ବାଘଟି ପାଚେରୀ ଡେଇଁ ଲୋକଙ୍କ ବାଡ଼ି ଭିତରକୁ ପଶିଯିବାର ଦେଖି ଭୟଭୀତ ହୋଇଯାଇଥିଲେ ପ୍ରତ୍ୟକ୍ଷଦର୍ଶୀ । ଖବର ପାଇ ବନବିଭାଗର କର୍ମଚାରୀ ଓ ଅଧିକାରୀମାନେ ବୁଢ଼ିଖମାରୀ ଅଞ୍ଚଳରେ ପହଞ୍ଚିଥିଲେ । ବାଘଟିକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବାକୁ ପ୍ରୟାସ କରିଥିଲା ବନବିଭାଗ । ହେଲେ ଏତେତେଣେ ଦୌଡ଼ିବାରୁ ବନବିଭାଗକୁ ଖୁବ୍ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ବାଘଟି ଥକି ଯାଇ ଏକ ପାଚେରୀ କଡ଼ରେ ବିଶ୍ରାମ ନେଉଥିବା ବେଳେ ବନବିଭାଗ ତାକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା । ବାଘଟିକୁ କାବୁ କରାଯାଇ ରକ୍ଷକ ଭ୍ୟାନରେ ରେସ୍କ୍ୟୁ ସେଣ୍ଟରକୁ ନିଆଯାଇଛି ।

ଯଦିଓ ବାଘଟି କାହାରିକୁ କ୍ଷତି କରିନାହିଁ, କିନ୍ତୁ ସହର ଭିତରେ କଲରାପତରିଆକୁ ଦେଖି ଖୁବ୍ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ ବନବିଭାଗ ଦ୍ୱାରା ବାଘକୁ କାବୁ କରାଯିବା ପରେ ଆଶ୍ୱସ୍ତି ହୋଇଛନ୍ତି ଲୋକେ । ଅନ୍ୟପପଟେ ଉଦ୍ଧାର ହୋଇଥିବା ବାଘର ପ୍ରଥମେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ପରବର୍ତ୍ତୀ ପଦପେକ୍ଷ ନିଆଯିବ ବୋଲି କହିଛି ବନବିଭାଗ ।