ବର୍ଷ ଶେଷରେ ଭୁବନେଶ୍ୱରରେ ବାହାଘର ପାଇଁ ମଣ୍ଡପ ଅଡୁଆ। ଲଗ୍ନ ଓ ତିଥି ସ୍ଥିର ହୋଇଥିଲେ ବି ମିଳୁନି ବିବାହ ମଣ୍ଡପ। 

541

କନକ ବ୍ୟୁରୋ:  ବାହାଘର ସିଜିନରେ ମଣ୍ଡପ ଅଡୁଆ । ଲଗ୍ନ ବାହାରିଛି ହେଲେ ମିଳୁନି ମଣ୍ଡପ । ରାତି ପାହିଲେ ମୋନାଲିସାଙ୍କ ବାହାଘର । ମେହେନ୍ଦୀ ସରିଛି, କେବଳ ଅପେକ୍ଷା  ବିବାହର ତିଥିକୁ । ବାଜା, ରୋଷଣୀ ସହ ଆସିବ ବର । ଆଉ ତା ପରେ ବାପ ଘର ଛାଡି ଶାଶୁଘର ଚାଲିଯିବ ମୋନାଲିସା । ବର୍ଷର ଆରମ୍ଭରେ ନିର୍ବନ୍ଧ ସରିଥିଲା ଆଉ ବର୍ଷର ଶେଷ ତିଥି  ଅର୍ଥାତ ଡିସେମ୍ବର ୧୪କୁ ବିବାହ ତିଥି ସୁଜିଥିଲା । ବାସ ସେବେଠାରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ମୋନାଲିସାଙ୍କ ଘର ଲୋକ । ମଣ୍ଡପ ବୁଝିବା ସହ ଫୁଲ କେଉଁଠୁ ଆସିବ, ଗାଡି କେଉଁଠୁ ଆସିବ ସେନେଇ ୮ ମାସ ପୂର୍ବରୁ ହିଁ ସବୁ ପ୍ଲାନ କରିସାରିଥିଲେ ମୋନାଲିସା ।

କୋଭିଡ କାଳରେ ବିବାହ ପାଇଁ କଟକଣା ଲାଗିଥିବାରୁ ଅନେକ ଲୋକ ନିଜ ବିବାହ ସମୟକୁ ଘୁଂଚାଇ ଦେଇଥିଲେ । ମଣ୍ଡପ ମାଲିକ ସମେତ କ୍ୟାଟେରିଂ, ଟେଣ୍ଟ ହାଉସ , ଡିଜେ ଭଳି ଅନେକ ଅନୁଷ୍ଠାନ ବହୁ କ୍ଷତି ସହିଥିଲେ । କିନ୍ତୁ ଧିରେ ଧିରେ ସମୟ ବଦଳିଛି । ନିଜ ବ୍ୟବସାୟକୁ ସୁଧାରିବା ପାଇଁ ଅଂଟା ଭିଡିଲେଣି ମଣ୍ଡପ ମାଲିକ । ବର୍ଷର ଶେଷ ତିଥି ପାଇଁ ବହୁ ମାସ ପୂର୍ବରୁ ମଣ୍ଡପ ବୁକ ସରିଯାଇଥିବା କହୁଛନ୍ତି ମଣ୍ଡପ ମାଲିକ ।

ବିବାହର ସ୍ମୃତିକୁ ସାଇତି ରଖିବା ପାଇଁ ଅନେକ  ପ୍ରି େଓଡିଂ ଫଟୋ ସୁଟ କରିବାକୁ ପସନ୍ଦ କରିଥାନ୍ତି ।  ଏଥିପାଇଁ ଭଲ ଲୋକେସନ ସାଙ୍ଗକୁ ଭଲ ଫଟୋଗ୍ରାଫର ସନ୍ଧାନରେ ଥାନ୍ତି ବରବଧୁ । ଫଟୋଗ୍ରାଫିକୁ କ୍ୟାରିଅର କରିଥିବା କେଡି ଓ ତାଙ୍କ ଟିମ ବି ଅପେକ୍ଷା କରିଥାଏ ଏହି ସମୟକୁ । ଶେଷ ତିଥିରେ ଶହ ଶହ ବାହାଘର ଥିବାରୁ ଅନେକଙ୍କ ପାଖରେ ପହଂଚିବାକୁ ଚେଷ୍ଟା କରୁଛନ୍ତି ଫଟୋଗ୍ରାଫର । ସେହିପରି ମେକ ଆର୍ଟିଷ୍ଟଙ୍କର ବହୁ ଡିମାଣ୍ଡ । ବିବାହ ରୁତୁକୁ ଅନେକ ସଂସ୍ଥା ଅପେକ୍ଷା କରିଥାନ୍ତି । ବର୍ଷ ତମାମ ଯେତିକି ବ୍ୟବସାୟ ହେବ ବାହାଘର ବେଳକୁ ଭଲ ଦି ପଇସା ରୋଜଗାର କରିବାକୁ ଆଶା ରଖିଥାନ୍ତି ଏଭଳି ସଂସ୍ଥା । ତେବେ ଏଥର ବି ବର୍ଷର ଶେଷ ଦିନରେ ଭଲ ବ୍ୟବସାୟ ହେବ ବୋଲି ଟାର୍ଗେଟ ରଖିଛନ୍ତି ବ୍ୟବସାୟୀ ।